ସଂଶୋଧିତ GSTକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

1 min read

ଜିଏସଟି ସଂଶୋଧନରେ ଗରିବ ଓ ମଧ୍ୟବିତ୍ତ କିଛି ଲାଭ ପାଇବେନି। ପରିବର୍ତ୍ତିତ GSTକୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି। କେନ୍ଦୁପତ୍ର ତୋଳାଳି ଓ ବୁଣାକାରଙ୍କ ଜିଏସଟି ପ୍ରସଙ୍ଗ ଉଠାଇଛି ବିଜେଡି। ରାଜ୍ୟର ୩୦ ଜିଲ୍ଲାରୁ ୨୨ ଜିଲ୍ଲାରେ କେନ୍ଦୁପତ୍ର ତୋଳିବା କାମରେ ଲୋକେ ନିର୍ଭରଶୀଳ। ଏହା ଉପରେ ୧୮% GST ଲାଗୁ ନେଇ ବିଜେଡି ବାରମ୍ବାର ପ୍ରତିବାଦ କରିଛି। ଏବେ ଏହାକୁ ୫ ପ୍ରତିଶତ କରାଯାଇଛି। ହେଲେ ଏହାକୁ ଶୁନ ପ୍ରତିଶତ କରାଗଲା ନାହିଁ। କିଛି ଫିନିସଡ୍ ସାମଗ୍ରୀ ୪୦% ସ୍ଲାବରେ ରହିଛି।କେନ୍ଦୁପତ୍ର ଏଥିରେ ଅନ୍ତର୍ଭୁକ୍ତ ଅଛି। ତେଣୁ ଏହି ୫% ଲଗାଇଲେ ବି ଡବଲ ଟିକସ ଲାଗୁ ହେବ। ଦର ବଢିବାରୁ ଏହାର ପ୍ରଭାବ ତୋଳାଳିଙ୍କ ଉପରେ ପଡିବ। ତେଣୁ ଏହାକୁ ଶୂନ କରାଯାଉ। ଆଉ ଗୋଟେ କଥା ସ୍ପଷ୍ଟ ନାହିଁ ଯେ ଓଡ଼ିଶା ଯେଉଁ ମାସକୁ ହଜାରେ କୋଟି ହରାଇବ ତାହା ଭରଣା କିଏ କରିବ ବୋଲି ବିଜେଡି ପ୍ରଶ୍ନ କରିଛି। ଜିଏସଟି ସ୍ଲାବ କମିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ତେରଛା ବାଣ ମାରିଛି କଂଗ୍ରେସ। ଲୋକେ କଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛି ଦଳ।ଲୋକଙ୍କ ଉପରେ ୩୦ରୁ ଅଧିକ ପ୍ରକାର ଟିକସ ବୋଝ ପଡୁଛି।ଜିଏସଟି ସ୍କାବ କମିବା ଦ୍ଵାରା ଓଡିଶା ଅଧିକ କ୍ଷତିଗ୍ରସ୍ତ ହେବ। ରାଜ୍ୟ ପାଇବ କମ ହରାଇବା ଅଧିକ। ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରଭୁକ୍ତ କରିଥିଲେ ସାଧାରଣ ଲୋକ ଲାଭ ପାଇଥାନ୍ତେ। ସେପଟେ ଏହାକୁ ଲୋକ ଦେଖାଣିଆ ବୋଲି କହିଛି ବାମ ଦଳ ।

ଜିଏସଟି ସ୍ଲାବ କମିବା ଆମେରିକା ଟାରିଫ ଇଫେକ୍ଟ କହିଛି ବ୍ୟବସାୟୀ ମହାସଂଘ। ଖାଦ୍ୟ ସାମଗ୍ରୀ ଉପରେ ୨ ପ୍ରକାର ଟିକସ ଵ୍ୟଵସ୍ଥାକୁ ବିରୋଧ କରିଛି ମହାସଙ୍ଘ। ଟିକସ ଚୋରି ରୋକିବାକୁ ଚାହୁଁଥିଲେ ସରକାର ଗୋଟିଏ ଟିକସ ବ୍ୟବସ୍ଥା କରନ୍ତୁ। ସବୁ ଖାଦ୍ୟ ସାମଗ୍ରୀ ଟିକସ ଶୂନ ପ୍ରତିଶତକୁ ଆଣାଯାଉ ବୋଲି ଦାବି କରିଛି ବ୍ୟବସାୟୀ ମହାସଂଘ। ଆସନ୍ତା ୧୫ରେ ନାଗପୁରରେ ଏ ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ବୈଠକରେ ଆଲୋଚନା ହେବ।ଜିଏସଟି ସ୍ଲାବ କମିବା ଯୋଗୁ କିଛି ମାସ ରାଜ୍ୟଗୁଡିକର କ୍ଷତି ହେବ କିନ୍ତୁ ଆଗକୁ ତାହା ଭରଣା ହୋଇଯିବ ବୋଲି ଅର୍ଥ ବିଶାରଦ କହିଛନ୍ତି। ଜିଏସଟି ସଂସ୍କାରକୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।କହିଛନ୍ତି, ଦେଶରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବାକୁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜିଏସଟିକୁ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବା ବେଳେ ପ୍ରକୃତରେ ଏହା ସାଧାରଣ ବର୍ଗଙ୍କୁ କେତେ ଲାଭ ଦେବ ତା ଉପରେ ସମସ୍ତଙ୍କର ନଜର।