କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରବେଶକୁ ବିରୋଧ

କୋରାପୁଟ: କୋଟିଆରେ ପୁଣି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିଡ଼ିକା ରାଜନଙ୍କ ଅନାଧିକାର ପ୍ରବେଶ ଯୋଜନାକୁ ବିରୋଧ କରାଯାଇଛି । ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବା ଯୋଜନା ଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

ବିଭିନ୍ନ ସମୟରେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ମଧ୍ୟ ଓଡ଼ିଶା ଏହାକୁ ବିରୋଧ କରିଛି । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିଡ଼ିକା ରାଜନଙ୍କ ଗସ୍ତକୁ ବିରୋଧ କରି ମାଡକର ବ୍ରିଜ୍‌ ନିକଟରେ ରାସ୍ତା ଉପରେ ମାଟି ପକାଯାଇଥିବା ଦେଖିବାକୁ ମିଳିଛି  । ତେବେ କିଏ ମାଟି ପକାଇ ବିରୋଧ କରିଛି ସେନେଇ ସୂଚନା ମିଳିପାରିନି ।

ପୂର୍ବରୁ ଆନ୍ଧ୍ର ସରକାରଙ୍କ କିଛି କର୍ମଚାରୀ ଘର ଘର ବୁଲି ନାମ ଫଳକ ଲଗାଇଥିବା ବେଳେ ଏହାକୁ ଓଡ଼ିଶା ପୋଲିସ ଓ ଜିଲ୍ଲା ପ୍ରଶାସନ ବିରୋଧ କରିଥିଲା । ସ୍ଥିତି ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ ନଜର ରଖିଛି ।