ନନାଙ୍କୁ ଚେତାବନୀ: ବ୍ରଜଙ୍କ ଟିକେଟ ନକଟିଲେ, ତୁମକୁ ଜଳେଶ୍ବରରେ ପୂରାଇ ଦେବୁନି

ଜଳେଶ୍ବର: ଟିକେଟ ଘୋଷଣା ପରେ ବିଦ୍ରୋହର ନିଆଁରେ ଜଳୁଛି ରାଜ୍ୟ ବିଜେପି । ପଦାରେ ପଡିଛି ତୃଣମୂଳ ସ୍ତରରେ ଦଳ ପାଇଁ କାମ କରୁଥିବା କର୍ମୀଙ୍କ କୋହ । ଅସନ୍ତୋଷର ବହ୍ନିରେ ଜଳୁଛି ରାଜ୍ୟ ବିଜେପି । ଯାହାର ସଦ୍ୟ ଉଦାହରଣ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଦେଖିବାକୁ ମିଳିଛି ।

ଜଳେଶ୍ବର ବିଧାୟକ ପ୍ରାର୍ଥୀଙ୍କୁ ନେଇ ବିଜେପିରେ ଦେଖା ଦେଇଛି ବିଦ୍ରୋହ । ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜ ପ୍ରଧାନଙ୍କୁ କର୍ମୀଙ୍କ ଜୋରଦାର ବିରୋଧ । ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଘେରି ଅସନ୍ତୋଷ ଜଣାଇବା ସହ ଚେତାବନୀ ଦେଲେ କର୍ମୀ ।

ବିଜେପି କର୍ମୀଙ୍କ ଅଭିଯୋଗ, ୨ ଦିନ ତଳେ ଦଳରେ ମିଶିଥିବା ବ୍ରଜଙ୍କୁ ଦଳ ଟିକେଟ ଦେଇଛି । ଦଳରେ ଅନେକ ପୁରୁଖା ନେତା ଥିଲେ ମଧ୍ଯ ବ୍ରଜଙ୍କୁ କାହିଁକି ପ୍ରାର୍ଥୀ କରାଗଲା ବୋଲି କର୍ମୀ ପ୍ରଶ୍ନ କରିଛନ୍ତି । ଏପରିକି ଯଦି ପ୍ରାର୍ଥିତ୍ବ ନିଷ୍ପତ୍ତି ନବଦଳେ ତେବେ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଳେଶ୍ବରରେ ପୂରାଇ ଦିଆଯିବନି ବୋଲି ନିଜ ଦଳର କର୍ମୀ ଦେଇଛନ୍ତି ଚେତାବନୀ ।

ପ୍ରାର୍ଥୀ ତାଲିକା ଘୋଷଣା ପରେ ରାଜ୍ୟ ବିଜେପିର ଅକଲ ଗୁଡମ ହୋଇଯାଇଛି । ସମସ୍ତ ଲୋକସଭା ଓ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାନସଭା ଆସନରେ କେଁ ଦେଖିବାକୁ ମିଳୁଛି । ଏମିତି କୌଣସି ନିର୍ବାଚନ କ୍ଷେତ୍ର ନାହିଁ, ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବର ଉଠିନି ।