ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ, ଭୟରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣ ପରେ ଭାବିଥିଲେ ଶାନ୍ତିପ୍ରିୟ ଭାରତ କିଛି ଆକ୍ସନ ନେବନି । କିନ୍ତୁ ସରକାର ଓ ସେନାର ସବୁ ଆକଳନକୁ ପାଣିଚିଆ କରି ଭାରତ ରାତି ଅଧିଆ ପାନେ ଦେଲା ପରେ ଛାନିଆ ପାକିସ୍ତାନ। କଣ କରିବେ ବାଟ ପାଉନାହାଁନ୍ତି ସେଠାକାର ସରକାରୀ କଳ । ପାକିସ୍ତାନ ଓ ପିଓକେରେ ପଚିଶ ମିନିଟ ଧରି ଭାରତୀୟ ଏୟାରଫୋର୍ସର ଧମାଧମ ମିସାଇଲ ମାଡ ପରେ ଏବେ ଆଉ ବୁଦ୍ଧି ଦିଶୁନି । ମୁହଁ ଫୁଟାଣି ବନ୍ଦ । ଭୟରେ ବିଳିବିଳେଇଲେଣି ପାକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ । ହିନ୍ଦୁସ୍ଥାନ ସହ ଯୁଦ୍ଧରେ ମାତିବାକୁ ଡରିଲାଣି ପାକିସ୍ତାନ । ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ଅନୁମାନ କରିହେଉଛି । ସେ କହିଛନ୍ତି, ଭାରତ ଯଦି ଆଉ ଆକ୍ରମଣ ନକରେ ତାହେଲେ ପାକିସ୍ତାନ ପ୍ରତିଜବାବ ଦେବାରୁ ଓହରିଯିବ । ଅର୍ଥାତ ସେ ପରୋକ୍ଷରେ ଭାରତକୁ ନିବେଦନ କରିଛନ୍ତି ଆଉ ଆକ୍ରମଣ ନକରିବାକୁ । ଏକ ଟିଭି ଚ୍ଯାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୧୫ ଦିନ ହେଲା ପାକିସ୍ତାନ କହିଆସୁଛି ଭାରତପ୍ରତି ପାକିସ୍ତାନର କୌଣସି ଅସୂୟାଭାବ ନାହିଁ । ତଥାପି ଭାରତ ଆକ୍ରମଣ କରିଛି । ଭାରତ ଏପରି ଆକ୍ରମଣ ଜାରି ରଖିଲେ ପାକିସ୍ତାନ ପ୍ରତିଜବାବ ଦେବ । କିନ୍ତୁ ଭାରତ ଯଦି ଆକ୍ରମଣରୁ ବିରତ ରୁହେ ତାହେଲେ ପାକିସ୍ତାନ ମଧ୍ଯ ଯୁଦ୍ଧରୁ ଓହରିଯିବ ।
କାଲି ମଧ୍ଯରାତ୍ରିରେ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରର ୯ଟି ଆତଙ୍କୀ ଆଡ୍ଡା ଉପରେ ଭାରତର କ୍ଷେପଣାସ୍ତ୍ର ମାଡ କରିଛି । ଗତ ଏପ୍ରିଲ ୨୨ ତାରିଖରେ ପହଲଗାଓଁ ହମଲା ପରେ ବେଶ ସତର୍କତାର ସହ ପାକିସ୍ତାନ ଉପରେ ଆକ୍ରମଣ କରି ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ ନେଇଛି ।