ପିଏମ ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ସେୟାର କରିଥିବା ଟ୍ୱିଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ସେୟାର କରିଥିବା ଟ୍ୱିଟଗୁଡିକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସରକାର ସେଇ ସବୁ ୟୁଟ୍ୟୁବ ଭିଡିଓଗୁଡିକୁ ମଧ୍ୟ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ବିବିସି ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡକୁ ସେୟାର କରାଯାଇଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ଆଦେଶ ଜାରି କରିଛି । ମିଳିଥିବା ସୂଚନାନୁସାରେ, ଏପରି ୫୦ ଟ୍ୱିଟଗୁଡ଼ିକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ୟୁଜର୍ସ ମାନେ ବିବିସିର ଡକ୍ୟୁମେଣ୍ଟାରୀ ଥିବା ୟ୍ୟୁଟ୍ୟୁବ ଲିଙ୍କକୁ ସେୟାର କରିଥିଲେ ।

ଏହି ଆଦେଶ ଶୁକ୍ରବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଆଇଟି ନିୟମ, ୨୦୨୧ ଆଧାରରେ ମିଳୁଥିବା ଇମରଜେନ୍ସି ପୱାରର ଅନ୍ତର୍ଗତ ଦେଇଛନ୍ତି । ୟୁଟ୍ୟୁବ ଓ ଟ୍ୱିଟରକୁ ଏହି ଆଦେଶ ମାନିବାକୁ ପଡ଼ିବ । ପ୍ରକାଶଥାଉକି, ଡକ୍ୟୁମେଣ୍ଟାରୀକୁ ବିଦେଶ ମନ୍ତ୍ରଣାଳୟ ଏକ ପ୍ରୋପାଗଣ୍ଡା ପିସ୍ ବୋଲି କହିଛନ୍ତି । ବିବାଦ ମଧ୍ୟରେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଡକ୍ୟୁମେଣ୍ଟାରୀର ଯାଞ୍ଚ କରିଥିଲେ ଏବଂ ଏହାକୁ ସୁପ୍ରିମକୋର୍ଟଙ୍କ ପ୍ରାଧିକରଣ ଉପରେ ଆକ୍ଷେପ ଲଗାଇବାକୁ ପ୍ରୟାସ କରାଯାଇଥିବା ଜାଣିବାକୁ ପାଇଥିଲେ ।

‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ’ ନାମକ ଡକ୍ୟୁମେଣ୍ଟ୍ରିର ଅନେକ ଟ୍ୱିଟ୍ସ ଏବଂ ୟୁଟ୍ୟୁବ ଭିଡିଓ ଏବେ ମାଇକ୍ରୋ ବ୍ଲଗିଂ ଏବଂ ଭିଡିଓ-ସେୟାରିଂ ୱେବସାଇଟ୍ ରେ ଦେଖାଯିବ ନାହିଁ । ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଉଥିବା କୁହାଯାଇଥିଲା । ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ନିର୍ମିତ ହୋଇଛି ଏହି ଡକ୍ୟୁମେଣ୍ଟାରୀ । ପୂର୍ବରୁ ୟୁକେ ପିଏମ ଋଷି ସୁନକ ବିବିସିର ଏହି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଥିଲେ । ଭାରତୀୟ ପ୍ରତିପକ୍ଷଙ୍କ ଉପରେ ଏପରି ଡକ୍ୟୁମେଣ୍ଟାରୀ ହେବା ଅନୁଚିତ ବୋଲି ସେ କହିଥିଲେ ।