ଅଣସର ଘରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା, ଆଜି ଷଷ୍ଠୀରେ ଲାଗିହେବ ଓଷ

ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବାପରେ ଜ୍ବରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ଗୁପ୍ତସେବା । ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବାୟତ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ପୂର୍ବ ପରମ୍ପରା ଅନୁଯାୟୀ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲ ବଡ଼ଓଡ଼ିଆ ମଠ ଯୋଗାଇଦେଇଥିଲା । ରାଶିତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ମିଶାଇ ଗୋଟିଏ ବର୍ଷତଳୁ ମାଟିତଳେ ପୋତାଯାଇଥାଏ  । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେବାୟତ ଏହି ଫୁଲୁରୀ ତେଲ ଲାଗି କରିଛନ୍ତି  । ଆଜି ଷଷ୍ଠୀରେ ଲାଗି ହେବ ଓଷ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ବାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଥିବା ବେଳେ ଘନ ଅନ୍ଧକାର ମଧ୍ୟରେ ଅଣବସର ଗୁପ୍ତ ଚିକିତ୍ସା କରାଯାଉଛି ।