ଭାରତରେ ହଲିଉଡ୍ ‘ଚାପୁଡା କାଣ୍ଡ’ ଷ୍ଟାର ୱିଲ୍ ସ୍ମିଥ, ସଦଗୁରୁଙ୍କ ସହ ବିତାଇବେ ସମୟ

ନୂଆଦିଲ୍ଲୀ: ଓସ୍କାର ବିଜେତା ହଲିଉଡ ଷ୍ଟାର ଓ୍ୱିଲ୍‌ ସ୍ମିଥ୍‌ ଭାରତରେ ପହଞ୍ଚି ସାରିଛନ୍ତି ।  ରିପୋର୍ଟ ଅନୁସାରେ ସଦଗୁରୁ ଜଗ୍ଗୀ ବାସୁଦେବଙ୍କ ସହିତ ଆଧ୍ୟାତ୍ମକ ସାକ୍ଷାତ ପାଇଁ ଏଠାକୁ ଆସିଛନ୍ତି ସ୍ମିଥ୍‌ । ଓସ୍କାର ସେରମନିରେ ହୋଇଥିବା ଚାପୁଡ଼ାମରା ଘଟଣା ପରେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି ।  ତେଣୁ ତାଙ୍କ ଭାରତ ଗସ୍ତକୁ ଏହି ଘଟଣା ସହିତ ଯୋଡ଼ା ଯାଉଛି । ଅବଶ୍ୟ ଉକ୍ତ ଘଟଣା ପରେ ସେ ସମସ୍ତଙ୍କୁ କ୍ଷମା ମାଗିଥିଲେ । ଯାହାର ଭିଡ଼ିଓ ମଧ୍ୟ ସେ ଶେୟାର କରିଥିଲେ ।

ଗଣମାଧ୍ୟମର ଖବର ଅନୁସାରେ ଓ୍ୱିଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁକିଛି ଠିକ୍‌ ନାହିଁ । କୁହାଯାଉଛି କଥା ଡିଭୋର୍ସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏଭଳିକି ଉଭୟଙ୍କ ମଧ୍ୟରେ ଏବେ କଥାବାର୍ତ୍ତା ମଧ୍ୟ କମ୍‌ ହୋଇଯାଇଛି ।

ସୂଚନାଯୋଗ୍ୟ, ଓସ୍କାର ସେରମନି ସମୟରେ ହଲିଉଡ ଅଭିନେତା ଓ୍ୱିଲ ସ୍ମିଥଙ୍କୁ କମେଡିଆନ୍‌ କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରିଥିଲେ ।  ‘ଏକାଡେମି ମୋଶନ ଅଫ୍‌ ପିକଚର ଆର୍ଟସ ଆଣ୍ଡ୍‌ ସାଇନ୍ସେଜ’ (ଓସ୍କାର) ଓ୍ୱିଲ ସ୍ମିଥଙ୍କ ଉପରେ ୧୦ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲା ।

୨୭ ମାର୍ଚ୍ଚ ଲସ୍‌ ଆଞ୍ଜେଲ୍ସର ଡଲ୍ବି ଥିଏଟରରେ ୯୪ ତମ ଓସ୍କାର ଆଓ୍ୱାର୍ଡ଼ ସେରମନି ଆୟୋଜିତ ହୋଇଥିଲା ।  ଏହି ସମୟରେ କମେଡିଆନ୍‌ କ୍ରିସ୍‌ ରକ୍‌ ଅଭିନେତା ଓ୍ୱିଲ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଟଙ୍କ ରୋଗକୁ ନେଇ ମଜାକ୍‌ କରିଥିଲେ । ଯାହା ଓ୍ୱିଲଙ୍କୁ ପସନ୍ଦ ଆସିନଥିଲା । ହଠାତ୍‌ ସେ ନିଜ ସ୍ଥାନରୁ ଉଠିଆସି ମଞ୍ଚ ଉପରକୁ ଯାଇ କ୍ରିସଙ୍କୁ ଜୋରରେ ଏକ ଚାପୁଡ଼ା ମାରିଥିଲେ ।

ସୂଚନାଯୋଗ୍ୟ ଓ୍ୱିଲଙ୍କ ପତ୍ନୀଙ୍କ ଲାଣ୍ଡି ହେବାକୁ ନେଇ ମଜାକ୍‌ ଉଡ଼ାଇଥିଲେ ରକ୍‌ । ପିଙ୍କେଟ ଏକ ରୋଗ କାରଣରୁ ଲାଣ୍ଡି ହୋଇଥିଲେ । ତେବେ କମେଡିଆନଙ୍କୁ ଚାପୁଡ଼ା ମାରିବା ପରେ ଓ୍ୱିଲ ସ୍ମିଥ୍‌ ୨୯ ମାର୍ଚ୍ଚରେ ଏକାଡେମି ଅଫ୍‌ ମୋଶନ ପିକଚରରୁ ଇସ୍ତଫା ଦେଇ ଦେଇଥିଲେ ।  ତେବେ ମଞ୍ଚ ଉପରେ  ଘଟିଥିବା ଘଟଣାକୁ ନେଇ ଲଜ୍ଜିତ ବୋଲି ମଧ୍ୟ କହିଥିଲେ । ବୋର୍ଡ଼ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବି ବୋଲି ସେ କହିଥିଲେ ।