ଭୁବନେଶ୍ବର : ସ୍କୁଲ ୟୁନିଫର୍ମ ବଣ୍ଟନ ପାଇଁ ଆସିଲା ଗାଇଡଲାଇନ । ଓସେପା ଜାରି କଲା ମାର୍ଗଦର୍ଶିକା । ଖରା ଛୁଟି ପୂର୍ବରୁ ମିଳିବ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଖରାଛୁଟି ପୂର୍ବରୁ ମାଗଣା ୟୁନିଫର୍ମ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିବ । ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ସମେତ ହାଉସ୍ ଡ୍ରେସ୍, ଜୋତା ଓ ମୋଜା ଦିଆଯିବାକୁ ଥିବା ବେଳେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅତିରିକ୍ତ ଭାବେ ପରିଚୟପତ୍ର ଓ ଟୋପି ଦିଆଯିବ । ଚଳିତ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ଏପ୍ରିଲ ୧୦ ସୁଦ୍ଧା ବିଦ୍ୟାଳୟ ସ୍ତରରୁ ଶ୍ରେଣୀ ଓ ବର୍ଗ ଅନୁଯାୟୀ ଆବଶ୍ୟକ ଆକଳନ ଶେଷ ହେବ । ୧୨ ତାରିଖ ସୁଦ୍ଧା ଏଜେନ୍ସିଗୁଡ଼ିକୁ କାର୍ଯ୍ୟାଦେଶ ପ୍ରଦାନ, ୨୭ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯିବ । ଏପ୍ରିଲ ୩୦ ସୁଦ୍ଧା ୟୁନିଫର୍ମର ଗୁଣାତ୍ମକମାନେ ଯାଞ୍ଚ ଏବଂ ମେ’ ୨ ସୁଦ୍ଧା ଓସେପା ନିକଟରେ ଜିଲ୍ଲା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।
ଚଳିତବର୍ଷ ପୋଷାକ ଯୋଗାଇବା ଯଦି କୌଣସି ଏଜେନ୍ସି ବିରୋଧରେ ଗୁରୁତର ଅଭିଯୋଗ ଥାଏ କିମ୍ବା ସେମାନେ କାର୍ଯ୍ୟ କରିବାକୁ ଅମଙ୍ଗ ହୁଅନ୍ତି, ତେବେ ଜିଲ୍ଲାସ୍ତରୀୟ କମିଟିର ଅନୁମତିକ୍ରମେ ନୂତନ ବ୍ୟବସ୍ଥା ଗ୍ରହଣ କରାଯିବ । ପୋଷାକର ରଙ୍ଗ, ଗୁଣବତ୍ତା ଓ ଲୋଗୋ ଗତବର୍ଷ ଭଳି ସମାନ ରହିବା କୌଣସି ପ୍ରକାର ନିମ୍ନମାନର ସାମଗ୍ରୀ ପ୍ରଦାନ କଲେ ଏଜେନ୍ସି ନିଜ ଖର୍ଚ୍ଚରେ ତାହା ବଦଳାଇବେ । ସାମଗ୍ରୀ ଗ୍ରହଣ କରିବା ପୂର୍ବରୁ ପ୍ରଧାନଶିକ୍ଷକମାନେ ଗୁଣବତ୍ତା ଏବିଇଓମାନେ ମଧ୍ୟରୁ ଅତିକମ୍ରେ ୨୫% ବିଦ୍ୟାଳୟକୁ ଗସ୍ତ କରି ଯାଞ୍ଚ କରିବେ । ଅନୁରୂପ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ-ବିଇଓ ମଧ୍ୟ ଅତିକମ୍ରେ ୧୦% ସ୍କୁଲ, ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ସମୀକ୍ଷା କରିବା ସହ ଯାଞ୍ଚ କରିପାରିବେ । ଯଦି ପୋଷାକର ସାଇଜ୍ କିମ୍ବା ଗୁଣବତ୍ତାରେ କିଛି ତ୍ରୁଟି ଥାଏ, ତେବେ ସ୍କୁଲ କିମ୍ବା ବ୍ଲକସ୍ତରରେ ଅଭିଯୋଗ କରାଯାଇପାରିବ । ଏହି ଅଭିଯୋଗଗୁଡ଼ିକ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେରେ ଗଠିତ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରକ୍ରିୟାର ସାପ୍ତାହିକ ଅନୁଧ୍ୟାନ କରିବେ । କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ଓସେପା ପକ୍ଷରୁ କୁହାଯାଇଛି।

