ଫିଟୁଛି ଓଟିପି ସ୍କାମର ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କ୍, ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଏସଟିଏଫ

ଭୁବନେଶ୍ୱର: ଫିଟୁଛି ଓଟିପି ସ୍କାମର ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କ୍ । ଦେଶର ଗୁପ୍ତତଥ୍ୟ ନେଇ କରୁଥିଲେ ଗୁଇନ୍ଦାଗିରି । ପଶ୍ଚିମବଙ୍ଗ ଏସଟିଏଫ୍ ହାତରେ ପଠାଣି ସାମନ୍ତ ର କ୍ରାଇମ ସିଣ୍ଡିକେଟ୍ । ଓଟିପି ସ୍କାମର ସୁରାକ୍ ଖୋଜିବାକୁ ପଶ୍ଚିମବଙ୍ଗ ଯିବ ଏସଟିଏଫ୍ । ଜାତୀୟ ସୁରକ୍ଷା ତଥ୍ୟ ଲିକ୍ ନେଇ ପଶ୍ଚିମବଙ୍ଗ ଏସଟିଏଫ୍ ତନାଘନା କରୁଥିବା ବେଳେ ପଠାଣି ସାମନ୍ତ ର ଲିଙ୍କ ସାମ୍ନକୁ ଆସିଛି । କୋର୍ଟଙ୍କ ଅନୁମତି କ୍ରମେ ଝାରପଡା ଜେଲରେ ପଠାଣି ସାମନ୍ତକୁ ଜେରା କରିଛି । ଅଭିଯୁକ୍ତ ପଠାଣିକୁ ରିମାଣ୍ଡରେ ନେବାଲାଗି ଖୁବଶୀଘ୍ର କୋର୍ଟରେ ଆବେଦନ କରିବ ପଶ୍ଚିମବଙ୍ଗ ଏସଟିଏଫ ଟିମ୍ ।

ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ । ଗୁଡୁ, ପଠାଣିର ସହଯୋଗୀ ଥିବାବେଳେ ନ୍ୟୁ ଜଲପାଇଗୁଡ଼ି ଥାନାରେ ହୋଇଛି ମାମଲା । ତଦନ୍ତ ବେଳେ ପଠାଣି ଓ ଗୁଡୁ କୁମାରର ଲିଙ୍କ୍ ଥିବା ଜାଣିବାକୁ ପାଇଛି ଏସଟିଏଫ । ଗୁଡୁକୁ ଜେରା କରିବାକୁ ଖୁବଶୀଘ୍ର ପଶ୍ଚିମବଙ୍ଗ ଯିବ ଏସଟିଏଫ ବୋଲି ଏସପି କହିଛନ୍ତି । ଓଟିପି ସେୟାରିଂ ସ୍କାମ ମାମଲାରେ ଅଧିକ ଖୋଳତାଡ ପ୍ରୀତମ କରକୁ ଦୁଇ ଦିନିଆ ରିମାଣ୍ଡ ନେଇ ଜେରା କରିଛି । ରିମାଣ୍ଡ ବେଳେ ଏସଟିଏଫ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ପାକିସ୍ତାନ ଏଜେଣ୍ଟଙ୍କ ସହ ସିଧା ସଳଖ ଏକାଧିକ ଥର ଦେଖା ହୋଇଛି ପ୍ରୀତମ । ପ୍ରୀତମର ଏକାଧିକ ଆକାଉଣ୍ଟ ଠାବ କରିଛି ଏସଟିଏଫ । କ୍ରିପ୍ଟୋ କରେନ୍ସିରେ ପାଖାପାଖି ୧ କୋଟି ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଛି । ସେସବୁ ଅକାଉଣ୍ଟକୁ ଫ୍ରିଜ କରାଯାଇଛି । କେବଳ ସେତିକି ନୁହେଁ ମାଙ୍ଗାଲୋରରେ ଅଟୋରେ ବୋମା ବିସ୍ଫୋରଣ ମାମଲାରେ ପ୍ରୀତମ ସୀମ୍ କାର୍ଡ ବ୍ୟବହାର ହୋଇଥିଲା ବୋଲି ଏସଟିଏଫ ସୂଚନା ଜେଇଛି ।  ଓଟିପି ସେୟାରିଂ ସ୍କାମ ମାମଲାରେ ଏକାଧିକ ଯୁବକଙ୍କ ଲିଙ୍କ ରହିଛି । ସେମାନଙ୍କୁ ଧରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ଯୋଜନା କରିଛି ଏସଟିଫ ।