ଓୟୁଏଟିରେ ଅଧ୍ୟାପକ ମରୁଡ଼ି : ୩୧୫ ପଦବୀରୁ ଖାଲି ପଡ଼ିଛି ୧୭୬

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଓୟୁଏଟିରେ ଅଧ୍ୟାପକ ମରୁଡ଼ି। ଅନୁମୋଦିତ ୩୧୫ ପ୍ରାଧ୍ୟାପକ ପଦବୀରୁ ଏବେ ଖାଲି ପଡ଼ିଛି ୧୭୬ ପଦ। ଅର୍ଥାତ ପ୍ରାୟ ୬୦ ପ୍ରତିଶତ ପ୍ରାଧ୍ୟାପକ ପଦବୀ ଫାଙ୍କା। କେବଳ ସେତିକି ନୁହେଁ ୫୨୦ ଅଣ ଶିକ୍ଷକ ପଦବୀ ମଧ୍ୟରୁ ଖାଲି ପଡ଼ିଛି ୩୬୫ ପଦ। ନୂଆ ନିଯୁକ୍ତି ବଦଳରେ ୭୬ଜଣ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେଇ କାମ ଚଳା ବାଟ କରାଯାଇଛି। ଏମିତି ଅଧ୍ୟାପକ ଓ କର୍ମଚାରୀଙ୍କ ଉତ୍କଟ ସମସ୍ୟା ଭିତରେ କେମିତି ପାଠ ପଢ଼ା ହେବ, କେମିତି ଗବେଷଣା ହେବ, ତାହା ବଡ଼ ପ୍ରଶ୍ନ। ଏତେ ବଡ଼ ଅସୁବିଧା ଭିତରେ ସମ୍ବଲପୁର ଚିପିଲିମାରେ ଓୟୁଏଟିର ଦ୍ଵିତୀୟ କ୍ୟାମ୍ପସ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି
ବାଲେଶ୍ବର ଓ ସୋନପୁରରେ ନୂଆ ମତ୍ସ୍ୟ ମହାବିଦ୍ୟାଳୟ, ବଲାଙ୍ଗୀର ଓ ମୟୂରଭଞ୍ଜରେ କୃଷି ମହାବିଦ୍ୟାଳୟ ଖୋଲାଯିବ। ଓଡ଼ିଶାର ଫଳ, ପନିପରିବା ବାହାର ଦେଶକୁ ଅଧିକ ରପ୍ତାନୀ ହେଉଥିବାରୁ ସାର ବିହୀନ ଅର୍ଗାନିକ ଚାଷ ଉପରେ ଗୁରୁତ୍ବ ଦେବାକୁ ଆହ୍ଵାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଖାଲି ଥିବା ପଦବୀ ପୂରଣ ପାଇଁ ମଧ୍ୟ ସେ ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସରେ ପ୍ରତିଶୃତି ଦେଇଛନ୍ତି।
ରାଜ୍ୟର ଏକମାତ୍ର ଏକକ ସାମଗ୍ରିକ ବିଶ୍ବବିଦ୍ୟାଳୟ ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବେଶ ସୁନାମ ରହିଛି। ଧାନ ଚାଷରୁ ଆରମ୍ଭ କରି ବିଭିନ୍ନ ଚାଷ ବାବଦରେ ଗବେଷଣା କରୁଛି ଏହି ଶିକ୍ଷାନୁଷ୍ଠାନ। କୁଶଳୀ ଚାଷୀ ସୃଷ୍ଟି କରିବାରେ ଓୟୁଏଟିର ବହୁ ଅବଦାନ ଥିବା ବେଳେ ଏବେ କୃଷି ଉଦ୍ୟୋଗୀ କରିବାର ଆହ୍ବାନ ରହିଛି। ବିଶେଷ କରି ମାଛ ଓ ଅଣ୍ଡା ଉତ୍ପାଦନରେ ଓଡ଼ିଶା କିପରି ଆତ୍ମ ନିର୍ଭର ହେବ, ତାର ବାଟ ଦେଖାଇଛନ୍ତି ରାଜ୍ୟପାଳ। ଆନ୍ଧ୍ର ଭଳି ଓଡ଼ିଶାରେ ଧାନ ଚାଷ ହେଉଥିବା ଜମିରେ ମାଛ ଚାଷ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଏ ଦିଗରେ ସରକାର କାମ କରୁଛନ୍ତି।