ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଇଓସି ଅଧିବେଶନ ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଲେ ଓଭିଇପିର ଛାତ୍ରଛାତ୍ରୀ

1 min read

ଭୁବନେଶ୍ବର: ଓଡ଼ିଶାରେ ଓଭିଇପି କାର୍ଯ୍ୟକ୍ରମ, ଶିକ୍ଷା ଓ କ୍ରୀଡ଼ାକ୍ଷେତ୍ରରେ ସଫଳତା ଏବଂ ଅବଦାନକୁ ପ୍ରଶଂସା । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ ଓଡ଼ିଶାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓଭିଇପିର ଛାତ୍ରଛାତ୍ରୀ । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇଓସି ଅଧିବେଶନ ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଥିଲେ । ସାକ୍ଷାତ ବେଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତିଙ୍କ ପ୍ରଶଂସାଭରା ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ । ଚିଠିରେ ଥୋମାସ ବାକ୍ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରିଡଲେ ପ୍ରକଳ୍ପ ପାଇଁ ଆଇଓସି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଉତ୍ତମ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି ।

ଅଲିମ୍ପିକ୍ ମୂଲ୍ୟବୋଧ ପ୍ରତି ଅତୁଟ ସମର୍ଥନ ପାଇଁ ସଭାପତି ବାକ୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁମ୍ବାଇରେ ଆୟୋଜିତ  ଆଇଓସି ଅଧିବେଶନରେ ଯୋଗ ଦେବାର ଅନୁଭୂତିକୁ ଛାତ୍ରୀ ଭାରତୀ ଶବର, ମହମ୍ମଦ ହମ୍ମାଦ ନୁରେନ୍, ପ୍ରତ୍ୟାଶା ସାହୁ, ସୋମ୍ୟ ରଞ୍ଜନ ବାରିକ ଓ ସୁଚିସ୍ମିତା ସାହୁ ଉତ୍ସାହର ସହ ବର୍ଣ୍ଣନା କରିଥିଲେ । ସେଠାରେ ପିଲାଙ୍କ ଲାଗି ଅନ୍ୟତମ ସ୍ମରଣୀୟ ଆକର୍ଷଣ ଥିଲା କିମ୍ବଦନ୍ତୀ ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ସହ  ଗୋଟିଏ ମଞ୍ଚରେ ଏକାଠି ହେବା ଥିଲା ଏକ ବିଶେଷ ଅନୂଭୁତି ।  ଆଇଓସି ଅଧିବେଶନ ଭଳି ବିଶ୍ବସ୍ତରୀୟ ମଞ୍ଚରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ରହି ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ୨୦୨୨ ମେ ୨୪ ତାରିଖରେ ରାଉରକେଲା ଓ ଭୁବନେଶ୍ବରର ୯୦ଟି ବିଦ୍ୟାଳୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ- ଓଭିଇପିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ ଓ କଟକ ସମେତ ୫ଟି ଜିଲ୍ଲାର ୨୫୦ଟି ବିଦ୍ୟାଳୟରେ ଓଭିଇପି କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ  ୨ରୁ ୧୦ମ ଶ୍ରେଣୀରେ ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ୫୦୦ ଶିକ୍ଷକଙ୍କୁ ମାଷ୍ଟର ଟ୍ରେନର ଭାବେ ତାଲିମ ଦିଆଯାଇଛି।