ଆମେରିକାରେ କଞ୍ଚା ପିଆଜ ଖାଇ ୬୫୦ରୁ ଅଧିକ ଅସୁସ୍ଥ

ନ୍ୟୁୟର୍କ:   ଆମେରିକାରେ ୩୭ଟି ରାଜ୍ୟରେ ସାଲମୋନେଲା ରୋଗ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଛନ୍ତି ପ୍ରାୟ ୬୫୦ରୁ ଅଧିକ ଲୋକ । ତେବେ ମେକ୍ସିକୋର ଚିହୁହୁଆରୁ ଆମଦାନୀ ହୋଇଥିବା  ପିଆଜ ଏହା ପଛର କାରଣ ବୋଲି କହିଛି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ ବା ସିଡିସି । ତେବେ ଏହାଦ୍ୱାରା ୬୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି ।

ସୂଚନା ଅନୁସାରେ କଞ୍ଚା ପିଆଜ ଖାଇଥିବା ବ୍ୟକ୍ତିମାନେ ଏହି ରୋଗର ଶିକାର ହୋଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ଧଳା, ଲାଲ୍‌ ଓ ହଳଦିଆ ରଙ୍ଗର ପିଆଜକୁ ନଖାଇବା ପାଇଁ ପରାମର୍ଶ ଦେଇଛି ସିଡିସି ।

ଖବର ଅନୁସାରେ ଏହି ରୋଗରେ ସଂକ୍ରମିତ ହେଲେ ଡାଇରିଆ, ଜ୍ୱର ଓ ପେଟ ବିନ୍ଧା ଆଦି ସମସ୍ୟା ଦେଖାଦିଏ ।  ଏହା ସହିତ  ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ଲେବଲ ଲାଗିନଥିବା ଏହି ସବୁ ରଂଗର ପିଆଜକୁ ନଖାଇବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଅସୁସ୍ଥ ହୋଇଥିବା ସମସ୍ତ ଲୋକଙ୍କ ରିପୋର୍ଟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଆକଳନ ଅନୁସାରେ ଧାର୍ଯ୍ୟ ହୋଇଛି । ଅଧିକତର ସଂକ୍ରମିତ ହେଉଛନ୍ତି ଟେକ୍ସାସ ଏବଂ ଓଖଲାହୋମାର । ଯଦିଓ ଅଗଷ୍ଟ ପରଠାରୁ ପିଆଜ ଆମଦାନୀ ହୋଇନାହିଁ ତଥାପି ଗଚ୍ଛିତ ଥିବା ପିଆଜ ଏହା ପଛର କାରଣ ବୋଲି ରିପୋର୍ଟରେ ପ୍ରକାଶିତ ।

Leave a Reply