ନନ୍ଦିଘୋଷ ବ୍ୟୁରୋ : ପଶୁ ହେଲେ କଣ ହେବ, ତାର ଭାବନା, ମାଲିକ ପ୍ରତି ସ୍ନେହ ସମସ୍ତଙ୍କ ହୃଦୟ ଜିତିଛି। ମାଲିକ ଆରପାରିକୁ ଚାଲିଯାଇଛି ହେଲେ ଯାହାର ଦାନା ଖାଇଛି ତାର ଫେରିବା ବାଟକୁ ଚାହିଁବସିଛି ପୋଷା କୁକୁର। ହିମାଚଳ ପ୍ରଦେଶରେ କିଛି ଦିନ ଧରି ଜାରି ରହିଛି ତୁଷାରପାତ। ଚମ୍ବା ଉପତ୍ୟକାରେ ବରଫ ଭିତରେ ପୋତି ହୋଇଯାଇଥିଲେ ମାଲିକ ପୀୟୂଷ। ପୋଷା କୁକୁରଟି କିନ୍ତୁ ଜାଣେନି ତାର ମୁନିବ ଆଉ ଇହଧାମରେ ନାହିଁ ବୋଲି। ପୋଷା କୁକୁର ସହ ମାଲିକ ଯାଇଥିଲେ ଟ୍ରେକିଂରେ। ହେଲେ ପ୍ରବଳ ବରଫପାତ ଯୋଗୁ ମାଲିକ ପୋତି ହୋଇଯାଇଥିବାବେଳେ କୁକୁରଟି ରକ୍ଷା ପାଇଯାଇଥିଲା। ପ୍ରାୟ ୪ ଦିନ ପରେ ବି ମାଲିକକୁ ଛାଡ଼ି ଯିବାକୁ ପ୍ରସ୍ତୁତ ହେଉନି ପୋଷା କୁକୁର। ଏହି ସ୍ପର୍ଶକାତର ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ପୀୟୂଷଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଟିମ୍ ପଦକ୍ଷେପ ନେଇଥିଲେ। ମାତ୍ର ପୀୟୂଷଙ୍କ ମୃତଦେହକୁ ଯେପରି ଭାବେ ପୋଷାକୁକୁରଟି ଜଗି ବସିରହିଥିଲା ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

