ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ ପରିସ୍ଥିତି ଭୟଙ୍କର ହେବ, ପାକିସ୍ତାନକୁ ଭାରତର ଚେତାବନୀ
1 min read
ନନ୍ଦିଘୋଷ ବ୍ୟୁରୋ :ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ ପରିସ୍ଥିତି ଭୟଙ୍କର ହେବ । ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛି ଭାରତ । ପାକିସ୍ତାନର ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଉଚିତ୍ ଜବାବ ଦେଇଛି ଭାରତ । ଭାରତ ଚେତାବନୀ ଦେଇଛି ଯେ ପାକିସ୍ତାନର କୌଣସି ବି ଭୁଲ୍ ପଦକ୍ଷେପ ଦ୍ବାରା ପାକିସ୍ତାନକୁ ଯନ୍ତ୍ରଣାଦାୟକ ପରିଣାମ ଭୋଗିବାକୁ ପଡିପାରେ ।
ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ୍ ଆଜି ଏକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ପାକିସ୍ତାନ ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଯୁଦ୍ଧ ପାଇଁ ଉସକାଉଥିବା ଭଳି ବୟାନ ଦେଉଛି । ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଭାରତ ବିରୋଧୀ ବୟାନ ଦେବା ପାକିସ୍ତାନ ନେତୃତ୍ୟଙ୍କ କାମ । ତେବେ ସେ ଏଥିରେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ଯେ, ସେ ନିଜର ବୟାନ ଉପରେ ସଂଯମ ରଖୁ ନହେଲେ କିଛି ବି ଦୁଃସାହାସିକ କାମର ପରିଣାମ ଅତି ଭୟଙ୍କର ହେବ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଚେତାବନୀ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଗମ୍ଭୀର ପ୍ରତିକ୍ରିୟା ଆସିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ମଙ୍ଗଳବାର (୧୨ ଅଗଷ୍ଟ, ୨୦୨୫) ଚେତାବନୀ ଦେଇଥିଲେ ଯେ ଭାରତକୁ ତାଙ୍କ ଦେଶରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ନେବାକୁ ଦିଆଯିବ ନାହିଁ। ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ଏହି ବିବୃତ୍ତି ଆସିଛି।
ଇସଲାମାବାଦରେ ଏକ ସମାରୋହରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଥିଲେ, “ଯଦି ତୁମେ ଆମର ପାଣି ବନ୍ଦ କରିବାକୁ ଧମକ ଦିଅ, ତେବେ ତୁମେ ପାକିସ୍ତାନରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ଛଡ଼ାଇ ନେଇପାରିବ ନାହିଁ। ଯଦି ଭାରତ ଏପରି କିଛି କରିବାକୁ ଚେଷ୍ଟା କରେ, ତେବେ ତାକୁ ଶିକ୍ଷା ଦିଆଯିବ।” ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ଯେ ତାକୁ ପାଣି ପ୍ରବାହିତ ହେବା ବନ୍ଦ କରିବା ଯୁଦ୍ଧର ଏକ କାର୍ଯ୍ୟ ଭାବରେ ବିବେଚନା କରାଯିବ।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିବୃତ୍ତି ପୂର୍ବରୁ, ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତ ବିରୋଧୀ ବିବୃତ୍ତି ଦେଇଥିଲେ। ସେମାନେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ ସହିତ ତୁଳନା କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଯଦି ଆମକୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଏ, ତେବେ ସେଥିରୁ ପାକିସ୍ତାନ ପଛକୁ ହଟିବ ନାହିଁ।
ଏହି ସମୟରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ୍ ଭାରତ-ଆମେରିକା ସମ୍ପର୍କ ଉପରେ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ଏହି ସହଭାଗୀତା ପାରସ୍ପରିକ ସମ୍ମାନ ଆଧାରରେ ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଦୃଢ଼ । ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପର୍କ ବିସ୍ତାରିତ ହୋଇଛି । ଏହି ମାସରେ ଆମେରିକାରୁ ଏକ ପ୍ରତିରକ୍ଷା ନୀତି ଦଳ ଆସୁଛି । ଏହି ମାସରେ ଆଲାସ୍କାରେ ଦୁଇ ଦେଶ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ହେବ।”