ଲୋକପ୍ରିୟ ପାକିସ୍ତାନୀ ସ୍ତମ୍ଭକାର ଓ ଲେଖକ ତାରେକ ଫତହଙ୍କ ନିଧନ

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ ପାକିସ୍ତାନୀ ସ୍ତମ୍ଭକାର ଓ ଲେଖକ ତାରେକ ଫତହଙ୍କ ନିଧନ । ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତହ । କର୍ଟକ ରୋଗରେ ପୀଡିତ ହୋଇ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସାମ୍ନାକୁ ଆସିଥିଲା, ଏହାପରେ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେବା ମଧ୍ୟ ଆରମ୍ଭ କରିଦେଇଥିଲେ । ଟ୍ୱିଟରରେ ତାଙ୍କ ନାଁ ମଧ୍ୟ ଟ୍ରେଣ୍ଡ କରିଥିଲା ।

ହେଲେ ଫତହଙ୍କର ନିକଟତର ଲୋକ ଏହି ଖବରକୁ ଖଣ୍ଡନ କରିଥିଲେ । ତେବେ ଏଥର ମୃତ୍ୟୁ ନେଇ ତାଙ୍କର ନିଜ ଝିଅ ସୂଚନା ଦେଇଛନ୍ତି । ତାରେକ ଫତହଙ୍କ ଝିଅ ନିଜ ବାପାଙ୍କ ନିଧନ ନେଇ ଟ୍ୱିଟ କରି ଲେଖିଛନ୍ତି, ”ପଞ୍ଜାବର ବାଘ, ଭାରତର ପୁଅ । କାନାଡା ପ୍ରେମୀ । ସତ କହୁଥିବା ଲୋକ । ନ୍ୟାୟ ପାଇଁ ଲଢେଇ କରୁଥିବା ବ୍ୟକ୍ତି । ଶୋଷିତ ଏବଂ ବାଞ୍ଛିତଙ୍କ ସ୍ୱର ତାରେକ ଫତହ ନିଜ ଅଭିଯାନକୁ ଆଗକୁ ବଢ଼ାଇ ଦେଇଛନ୍ତି ।

ତାଙ୍କ କ୍ରାନ୍ତି ସେଇ ସମସ୍ତଙ୍କ ସହ ଜାରି ରହିବ ଯିଏ ତାଙ୍କୁ ଜାଣିଛନ୍ତି ଏବଂ ଭଲ ପାଉଥିଲେ । କଣ ଆପଣ ଏଥିରେ ଯୋଡିହେବେ?” ଏହାପରେ ତାରେକଙ୍କ ଜନ୍ମବର୍ଷ ୧୯୪୯ରୁ ୨୦୨୩ ଲେଖିଛନ୍ତି । ପାକିସ୍ତାନୀ ପତ୍ରକାର ଆରଜୁ କାଜମୀ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାରେକ ଫତହଙ୍କ ଜନ୍ମ ୨୦ ନଭେମ୍ବର ୧୯୪୯ରେ ପାକିସ୍ତାନର କରାଚୀରେ ହୋଇଥିଲା । ୧୯୮୭ରେ ସେ କାନାଡା ଚାଲିଯାଇଥିଲେ ।

ଚମତ୍କାର ଲେଖା ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିସାରିଛି । କାନାଡା ସମେତ ବିଶ୍ୱର ଅନେକ ପ୍ରମୁଖ ପତ୍ରିକାରେ ତାଙ୍କ ସ୍ତମ୍ଭ ସ୍ଥାନ ପାଇଥାଏ । ତାଙ୍କର ଜନ୍ମ ପାକିସ୍ତାନରେ ହୋଇଥିଲେ ମଧ୍ୟ ସେ ପାକିସ୍ତାନର ବିଫଳତାକୁ ସବୁବେଳେ ସର୍ବସମ୍ମୁଖକୁ ଆଣୁଥିଲେ । ଭାରତୀୟ ଜାତୀୟ ମିଡିଆ ଡିବେଟରେ ଅନେକ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ । ସେ ସବୁବେଳେ ନିଜକୁ ହିନ୍ଦୁସ୍ତାନର ପୁଅ ବୋଲି କହୁଥିଲେ ।