ଇମ୍ରାନଙ୍କ ଗିରଫଦାରୀକୁ ନେଇ ହାଇଡ୍ରାମା, ପୋଲିସ-ପିଟିଆଇ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ଇସଲାମାବାଦ: ଇମ୍ରାନଙ୍କ ଗିରଫଦାରୀକୁ ନେଇ ଜଳୁଛି ପାକିସ୍ତାନ । ପୋଲିସ ଇମ୍ରାନ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ବେଳେ ଏକ ଭିଡିଓ ଜାରି କରିଛନ୍ତି ପିଟିଆଇ ଅଧ୍ୟକ୍ଷ । ମୋର ଗିରଫଦାରୀ ଲଣ୍ଡନରୁ ପ୍ଲାନ କରାଯାଇଛି । ପିଟିଆଇକୁ ଭାଙ୍ଗିବା ଓ ମୋତେ ଜେଲରେ ପୁରାଇବା ସେମାନଙ୍କର ଲକ୍ଷ୍ୟ ବୋଲି ଭିଡିଓରେ କହିଛନ୍ତି ଇମ୍ରାନ । ଏହାସହ ଜେଲରେ ମୋର ହତ୍ୟା ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଇମ୍ରାନ କହିଛନ୍ତି । ଗତକାଲି ଇମ୍ରାନଙ୍କୁ ଗିରଫ କରିବା ପାଇଁ ତାଙ୍କ ଜମାନ ପାର୍କସ୍ଥିତ ବାସଭବନରେ ପୋଲିସ ପହଞ୍ଚିଥିଲୋ । ଗିରଫଦାରୀକୁ ବିରୋଧ କରି ଇମ୍ରାନଙ୍କ ସମର୍ଥକ ହିଂସା ଭିଆଇଥିଲେ । ଉଭୟ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ବିକ୍ଷୋଭକାରୀଙ୍କୁ ପୋଲିସ ଲାଠି ଚାର୍ଜ କରିବା ସହ ଓ୍ୱାଟର କ୍ୟାନନ୍ ଓ ଲୁହ ବୁହା ଗ୍ୟାସ ମଧ୍ୟ ମାଡ଼ କରିଥିଲା । ଆଡିସନାଲ ଫୋର୍ସ ସହ ହେଲିକପ୍ଟର ଓ ଡ୍ରୋନ ମଧ୍ୟ ମୁତୟନ କରାଯାଇଥିଲା ।

୮ଘଣ୍ଟାର ପ୍ରୟାସ ପରେ ବି ପୋଲିସ ଇମ୍ରାନଙ୍କୁ ଗିରଫ କରି ନପାରି ଫେରିଥିଲା । ତୋଷଖାନାରୁ ଅନେକ ଦାମୀ ଗିଫ୍ଟ ଇମ୍ରାନ ବିକ୍ରି କରିଦେଇଥିବା ଅଭିଯୋଗ ରହିଛି । ୨୯ ମାର୍ଚ୍ଚ ସୁଦ୍ଧା ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଇମ୍ରାନ ପ୍ରୋଟେକ୍ଟିଭ ବେଲ୍ ପାଇଥିବା ବେଳେ ପୋଲିସ ଏବେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଛି । ସେପଟେ ସମର୍ଥକ ଓ ପୋଲିସ ମଧ୍ୟରେ ମାରପିଟରେ ଇସଲାମାବାଦ ଡିଆଇଜିଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।