ପାକିସ୍ତାନର ନୂଆ କ୍ୟାବିନେଟ୍ ଗଠନ କଲେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମବାଦ: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କାକ୍କର ଗଠନ କରିଛନ୍ତି ନୂଆ କ୍ୟାବିନେଟ । ବଡ଼କଥା ହେଉଛି କ୍ୟାବିନେଟରେ ବହୁଚର୍ଚ୍ଚିତ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା ଜେକେଏଲଏଫ ନେତା ତଥା ଜେଲରେ ଥିବା ଆତଙ୍କବାଦୀ ୟାସିନ ମାଲିକଙ୍କ ପତ୍ନୀ ମୁସାଲ ହୁସେନ ମାଲିକଙ୍କୁ ସାମିଲ କରାଯାଇଛି । ନ୍ୟାସନାଲ ଇନଭେଷ୍ଟିଂ ଏଜେନସ୍ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଗତ ୨୦୨୨ ମେ ୨୫ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ୟାସିନ । ମିସାଲ ହୁସେନଙ୍କୁ ମିଳିଛି ମାନବାଧିକାର ବିଭାଗ ମନ୍ତ୍ରାଳୟ । ପୂର୍ବତନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସମସାଦ ଅଖତାରଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିବାବେଳେ ପୂର୍ବତନ ମନ୍ତ୍ରୀ ସରଫରାଜ ବୁଗତି ହୋଇଛନ୍ତି ଗୃହମନ୍ତ୍ରୀ । ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ପ୍ରଧାନମନ୍ତ୍ରୀ କାକ୍କରଙ୍କ କ୍ୟାବିନେଟର ଶପଥପାଠ କରାଇଥିଲେ । ଅନ୍ୟ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଜାଲିଲ ଆବାସ ଜିଲାନି, ଲେଫ୍ଟନାଣ୍ଟ ଜେନେରାଲ ଅନଓ୍ବର ଅଲି ହାଇଦର, ନଦିମ ଜାନ, ଖଲିଲ ଜର୍ଜ ପ୍ରମୁଖ । ବାଲୁଚିସ୍ତାନ ଆଓ୍ବାମି ଲିଗର ସିନେଟର ଅନଓ୍ବର ଉଲ ହକ କାକ୍କର ଗତ ଅଗଷ୍ଟ ୧୪ରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଗତ ୨୦୧୮ରେ କାକ୍କର ସିନେଟକୁ ନିର୍ବାଚିତ ହୋଇଥିବାବେଳେ ଜଣେ ଶକ୍ତିଶାଳୀ ନେତା ଭାବେ ବିବେଚିତ ହୋଇଆସୁଛନ୍ତି । କାକ୍କର ହେଉଛନ୍ତି ଦେଶର ଅଷ୍ଟମ କାମଚଳା ପ୍ରଧାନମନ୍ତ୍ରୀ ।