ମେଡିକାଲରୁ ଫେରିଲେ, ପାକିସ୍ତାନରେ ପୁଣି ଗର୍ଜିଲେ ଇମରାନ୍

1 min read

ଇସଲମାବାଦ: ପାକିସ୍ତାନ ସରକାର ବିରୋଧରେ ପିଟିଆଇର ହଲ୍ଲାବୋଲ । ସଡ଼କରୁ ସଂସଦ ଯାଏ ସରକାର ବିରୋଧୀ ବିକ୍ଷୋଭ । ସୁସ୍ଥ ହେବା ପରେ ସେହବାଜ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆଜି ପିଟିଆଇ ପକ୍ଷରୁ ରାୱଲପିଣ୍ଡିରେ ହୋଇଥିବା ବିଶାଳ ସମାବେଶରେ ଯୋଗଦେଇ ଇମରାନ ଉଦବୋଧନ ଦେଇଛନ୍ତି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର ସମସ୍ତ ସଦସ୍ୟ ବିଧାନସଭାରୁ ଇସ୍ତଫା ଦେବେ ବୋଲି ଇମ୍ରାନ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଦେଶରେ ଅସ୍ଥିରତା ସୃଷ୍ଟି ହେବା ଆଶଙ୍କା ଥିବାରୁ ଇସଲାମାବାଦକୁ କରାଯାଉଥିବା ମେଗାରାଲିକୁ ବାତିଲ କରିଦିଆଯାଇଛି । ଏକ ଦୁର୍ନୀତିଗ୍ରସ୍ତ ରାଜନୈତିକ ବ୍ୟବସ୍ଥା ମଧ୍ୟରେ ତାଙ୍କ ଦଳ ଏକ ଅଂଶବିଶେଷ ହେବ ନାହିଁ ବୋଲି ଇମ୍ରାନ କହିଛନ୍ତି । ରାଓ୍ବଲପିଣ୍ଡିରେ ସେନା ମୁଖ୍ୟାଳୟ ରହିଥିବାବେଳେ ସେଠାରେ ଇମରାନଙ୍କ ଗର୍ଜନ ଭିନ୍ନ ବାର୍ତ୍ତା ଦେଇଛି।

ଇମ୍ରାନଙ୍କ ଉପରେ ହୋଇଥିବା ଗୁଳିମାଡ ଘଟଣାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା ଓ ଆଇଏସଆଇ କାଉଣ୍ଟର ଇଣ୍ଟେଲିଜେନସ ମୁଖ୍ୟ ମେଜର ଜେନେରାଲ ଫଇଜଲ ନାସିର ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । ଦେଶରେ ସାନି ନିର୍ବାଚନ କରିବା ଲାଗି ଇମରାନ ଦାବି କରିଥିବା ବେଳେ ସଂସଦରୁ ପିଟିଆଇର ସମସ୍ତ ସାଂସଦ ଇସ୍ତଫା ଦେଇସାରିଛନ୍ତି । ଗତ ଏପ୍ରିଲରେ ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସରକାର ଭାଙ୍ଗିବାକୁ ବିଦେଶରେ ଷଡଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।