ଭୁଶୁଡ଼ା ଅର୍ଥନୀତିରେ ଯୁଝି ହେଉଛି ପାକିସ୍ତାନ, ପେଟ୍ରୋଲ ଲିଟର ପିଛା ଛୁଇଁଲା ୨୭୨ ଟଙ୍କା

ଇସଲାମାବାଦ: ଭୁଶୁଡ଼ା ଅର୍ଥନୀତିରେ ଯୁଝି ହେଉଛି ପାକିସ୍ତାନ । ଆଇଏମଏଫର ବେଲଆଉଟ ପ୍ୟାକେଜ ସର୍ତ୍ତ ପାଇଁ ଆହୁରି ଭୟଙ୍କର ହୋଇଛି ସ୍ଥିତି । ହୁହୁ ହୋଇ ବଢ଼ୁଛି ଦରଦାମ । ମିନି ବଜେଟ ପରେ ରେକର୍ଡ ଛୁଇଁଛି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର । ପେଟ୍ରୋଲ ଲିଟର ପିଛା ପୁଣି ୨୨ ଟଙ୍କା ୨୦ ପଇସା ବୃଦ୍ଧି କରାଯାଇଛି । ଯାହାଫଳରେ ପେଟ୍ରୋଲ ଲିଟର ୨୭୨ ଟଙ୍କା ଛୁଇଁଛି । ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହ୍ରାସ ଯୋଗୁ ସରକାର ପେଟ୍ରୋଲିୟମ ସାମଗ୍ରୀ ଦର ବଢ଼ାଇଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇଛି । ନୂଆ ଦର ଲାଗୁ ପରେ ହାଇସ୍ପିଡ ଡିଜେଲ ଦାମ ଲିଟର ପିଛା ୨୮୦ ଟଙ୍କା ଓ କିରୋସିନ ୨୦୨ଟଙ୍କା ୭୩ ପଇସା ହୋଇଛି ।

ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପାକିସ୍ତାନ ଅତି ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ଦରଦାମ ବୃଦ୍ଧି ମୁଦ୍ରାସ୍ଫୀତି ଆହୁରି ବଢ଼ାଇବା ଆଶଙ୍କା କରାଯାଉଛି । ଗତକାଲି ପାକିସ୍ତାନରେ ମିନି ବଜେଟ ଉପସ୍ଥାପନ ହୋଇଥିବା ବେଳେ ଜେନେରାଲ ସେଲ୍ସ ଟାକ୍ସକୁ ୧୭ ପ୍ରତିଶତରୁ ୧୮ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । ଏହାସହ ସୌକିନ ସାମଗ୍ରୀ ଉପରେ ୨୫ ପ୍ରତିଶତ ବଢ଼ାଇ ଦିଆଯାଇଛି । ଏହାସହ ସିଗାରେଟ ଓ ମିଠା ପାନୀୟ ଉପରେ ଏକ୍ସାଇଜ ଡ୍ୟୁଟି ମଧ୍ୟ ବଢ଼ାଇ ଦିଆଯାଇଛି । ପରଫ୍ୟୁମ, ଏଲଇଡି ଟିଭି, ଏଲସିଡି ଟିଭି, ସ୍ମାର୍ଟ ଫୋନ, ଆଇପ୍ୟାଡ, ଜୁସର ଓ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ୧୮ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରାଯାଇଛି ।