ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ !

1 min read

ଇସଲାମାବାଦ: ସତରେ ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତାଙ୍କ ସମ୍ପର୍କରେ ଜଣେ ସହଯୋଗୀ ସଲମାନ ହାଇଦରଙ୍କ ସୂଚନା ଚିନ୍ତା ସୃଷ୍ଟି କରିଛି । ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡ ପାଇଥିବା ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ନେତା ଇମ୍ରାନଙ୍କୁ ଆତୋକ ଜେଲରେ ରଖାଯାଇଛି ।

ସେ ରହିଥିବା ସେଲଟି ଏତେ ଛୋଟ ଯେ ତାଙ୍କର ବ୍ଯାଗ ରଖିବାକୁ ବି ଜାଗା ନାହିଁ । ଗାଧୋଇବା ଓ ଶୌଚ ହେବା ଲାଗି ତାଙ୍କୁ ମାତ୍ର ବାଲତିଏ ପାଣି ଯୋଗାଯାଉଛି । ତାଙ୍କ ଆଖପାଖରେ ଥିବା ସେଲରେ ବି ଅନ୍ୟ କାହାରିକୁ ରଖାଯାଇନାହିଁ । ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶକୁ ବି ଅମାନ୍ୟ କରି ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ । ତାଙ୍କୁ ଖବରକାଗଜ ବି ପଢିବାକୁ ଦିଆଯାଉନାହିଁ ବୋଲି କହିଛନ୍ତି ସଲମାନ ।

ଇମ୍ରାନଙ୍କ ଜାମିନ ଆବେଦନର ଶୁଣାଣି ଜାଣି ଶୁଣି ବିଳମ୍ବ କରାଯାଉଛି । ସେପଟେ ଏକ ଦୁର୍ନୀତି ମାମଲାରେ ପିଟିଆଇର ସଭାପତି ଚୌଧୁରୀ ପରଭେଜ ଇଲାହିଙ୍କୁ ନ୍ଯାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ହେପାଜତକୁ ଆସନ୍ତା 21 ତାରିଖ ଯାଏ ପଠାଇଛି ପାକିସ୍ତାନର ଏକ କୋର୍ଟ । ଗତ ମେ 9 ତାରିଖରେ ମିଲିଟାରୀ ବାହିନୀ ଉପରେ ଆକ୍ରମଣ ଓ କେତେକ ସରକାରୀ କୋଠା ଉପରେ ଆକ୍ରମଣ ଘଟଣା ସମେତ କେତେକ ଦୁର୍ନୀତି ମାମଲାରେ ସେ ବର୍ତ୍ତମାନ ଜେଲରେ ଅଛନ୍ତି ।