ବନ୍ୟାରୁ ରକ୍ଷା ପାଇବା ପାଇଁ ପାକ୍ ମନ୍ତ୍ରୀଙ୍କ ବ୍ରହ୍ମଜ୍ଞାନ, ବାଲଟିରେ ପାଣି ବୁହା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ପଞ୍ଜାବ, ପିଓକେ, କେପିକେ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ତାଣ୍ଡବ ରଚାଇଛି। ବନ୍ୟା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଓ ପଶୁ ପ୍ରଭାବିତ ହୋଇଛନ୍ତି  । ଏହା ସହ ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଛି। ଗୋଟିଏ ପଟେ ବନ୍ୟା ତାଣ୍ଡବ ରଚାଇଛି, ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଅଜବ ବୟାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଆସିଫଙ୍କୁ ପାକିସ୍ତାନୀମାନେ ବନ୍ୟା ପାଣିକୁ ସଂରକ୍ଷଣ କରି ରଖିବା  ଉଚିତ ବୋଲି ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

ପାକିସ୍ତାନୀ ଟିଭି ଚ୍ୟାନେଲର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ଆଙ୍କର ଖାୱାଜା ଆସିଫଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି । ଯେତେବେଳେ ଆଙ୍କର ଖାୱାଜାଙ୍କୁ ବନ୍ୟା ବିଷୟରେ ପ୍ରଶ୍ନ କରିଛନ୍ତି , ଆସିଫ ତାଙ୍କ ଉତ୍ତରରେ କହିଛନ୍ତି କି  ବନ୍ୟା ପାଣିକୁ  ବାଲ୍ଟି ଓ ବାକ୍ସରେ ସଂରକ୍ଷଣ କରି ପରେ ବ୍ୟବହାର କରାଯିବା ଉଚିତ। ଲୋକମାନେ ବନ୍ୟାକୁ ସମସ୍ୟା ଭାବରେ ନ ଦେଖି  ଆଶୀର୍ବାଦ ଭାବରେ ନେବା  ଉଚିତ୍। ଆସିଫଙ୍କ ଏହି ଭିଡିଓ ସୋସିଆଲ ଖୁବ ଭାଇରାଲ ହେଉଛି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପାକିସ୍ତାନରେ ପୂର୍ବରୁ ବନ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ। ଖୱାଜା ଆସିଫ କହିଥିଲେ ଯେ ଭାରତ ଛାଡୁଥବା ପାଣି ଯୋଗୁଁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ସେ  ଆଉ ମଧ୍ୟ କହିଥିଲେ ଯେ ଭାରତରୁ ଆସୁଥିବା ବନ୍ୟା ପାଣିରେ ମୃତଦେହ ମଧ୍ୟ ପାକିସ୍ତାନକୁ ଆସୁଛି । ପାକିସ୍ତାନରେ ଭାସୁଥିବା ମୃତଦେହ ଭାରତୀୟମାନଙ୍କର ବୋଲି ସେ କହିଛନ୍ତି ।

ସିଆଲକୋଟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଖୱାଜା ଆସିଫ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଭାରତରୁ ପ୍ରବାହିତ ବନ୍ୟାଜଳରେ ମଣିଷ ମାନଙ୍କ ମୃତଦେହ, ଗାଈଗୋରୁଙ୍କୁମୃତଦେହ ସାଙ୍ଗରେ ଆଣିଛୁ । ଖୱାଜା ଆସିଫ ଦାବି କରିଛନ୍ତି ଯେ ସ୍ଥାନୀୟ ଲୋକମାନେ ସୀମା ଆରପାରିରେ ମୃତଦେହ ଭାସୁଥିବାର ଦେଖିଛନ୍ତି।  ମୃତଦେହ ଭାସୁଥିବାରୁ ଏହି ଅଞ୍ଚଳରୁ ପାଣି ନିଷ୍କାସନ କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

ପାକିସ୍ତାନର ପଞ୍ଜାବ ପ୍ରଦେଶର ସରକାର କହିଛନ୍ତି ଯେ ଇତିହାସର ସବୁଠାରୁ ଭୟଙ୍କର ବନ୍ୟାର ସମ୍ମୁଖୀନ ହେଉଛି। ସେ କହିଛନ୍ତି ଯେ ନଦୀଗୁଡ଼ିକର ଜଳସ୍ତର ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ଅଛି। ଏଥିରେ ୨୦ଲକ୍ଷରୁ ଅଧିକ ଜନବସତି ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଜୁନ୍ ୨୬ ତାରିଖରୁ ପାକିସ୍ତାନରେ ବର୍ଷା ଓ ବନ୍ୟା ଯୋଗୁଁ ୮୪୯ ଜଣଙ୍କର ମୃତ୍ୟୁ ହେବା ସହ  ୧୧୩୦ ଜଣ ଆହତ ହୋଇଛନ୍ତି।