ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ନାହିଁ କି ପାକିସ୍ତାନ ? ଏହି ନିଷ୍ପତ୍ତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ପାକ୍ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ ବିଶ୍ୱକପ୍ । ଦିନିକିଆ ବିଶ୍ୱକପର ଖେଳସୂଚୀ ଅନୁସାରେ ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । କିନ୍ତୁ ଚଳିତ ବିଶ୍ୱକପରେ ପାକିସ୍ତାନ ଭାରତ ଆସିବ କି ନାହିଁ ତାହା ଉପରେ ଏବେ ବି ସନ୍ଦେହ ରହିଛି । ତେବେ ଏହାରି ଭିତରେ ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍ ପଠାଇବା ଉପରେ ନିଷ୍ପତ୍ତି ନେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୈଦେଶିକ ମନ୍ତ୍ରୀ ବିଲାଓ୍ୱାଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତ-ପାକିସ୍ତାନ ସମ୍ପର୍କର ସମସ୍ତ ଦିଗ, କ୍ରୀଡା ଏବଂ ରାଜନୀତିକୁ ପୃଥକ ରଖିବା ପାଇଁ ସରକାରଙ୍କ ନୀତି ଓ ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଗଣମାଧ୍ୟମ ପାଇଁ ଭାରତର ସ୍ଥିତି ଉପରେ ସମୀକ୍ଷା କରି ରିପୋର୍ଟ ଦେବ । ଏହା ପରେ ହିଁ ପାକିସ୍ତାନ ସରକାର ଖେଳାଳିଙ୍କୁ ପଠାଇବେ ନା ନାହିଁ ସେନେଇ ନିଷ୍ପତ୍ତି ନେବେ
ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ତିକ୍ତତା କାରଣରୁ ଟିମ ଭାଗ ନେବ କି ନାହିଁ ଏହା ସରକାରୀ ଅନୁମୋଦନ ଉପରେ ନିର୍ଭର କରିବ। କମିଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ କ୍ରୀଡା ମନ୍ତ୍ରୀ ଅହସାନ ମଜାରୀ, ମରିୟମ ଆଉରଙ୍ଗଜେବ, ଆସାଦ ମହମୁଦ, ଅମିନ-ଉଲ-ହକ, କମର ଜମାନ ଏବଂ ପୂର୍ବତନ କୂଟନୀତିଜ୍ଞ ତାରିକ ଫାତମି ଅଛନ୍ତି। ସଂପୃକ୍ତ ମନ୍ତ୍ରୀମାନେ ପୂର୍ବରୁ ପିସିବିକୁ ସୂଚିତ କରିଛନ୍ତି ଯେ ପାକିସ୍ତାନ ଟିମ ଯେଉଁଠାରେ ମ୍ୟାଚ୍ ଖେଳିବାକୁ ସ୍ଥିର ହୋଇଛି ସେହି ମ୍ୟାଚ୍ ସ୍ଥାନଗୁଡିକୁ ଯାଞ୍ଚ କରିବା ପାଇଁ ଭାରତକୁ ଏକ ଉଚ୍ଚ ସ୍ତରୀୟ ସୁରକ୍ଷା ପ୍ରତିନିଧି ପଠାଯିବ।
