ସରକାର ଗଠନ କରିବେ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପିପିପି

1 min read

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଦୂରହେବ ପାକିସ୍ତାନ ଅନିଶ୍ଚିତତା। ସରକାର ଗଠନ କରିବେ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି । ମେଣ୍ଟ ସରକାର ଗଠନ ଲାଗି ହୋଇଛି ସହମତି । ପିପିପି ଅଧ୍ୟକ୍ଷ ବିଲାଓ୍ବାଲ ଭୁଟ୍ଟୋ କହିଛନ୍ତି ଦୁଇ ଦଳ ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଛି । ପିିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ପିପିପି ସହ-ଅଧ୍ୟକ୍ଷ ଅସିଫ ଅଲ୍ଲି ଜର୍ଦ୍ଦାରୀ ପୁଣି ଥରେ ରାଷ୍ଟ୍ରପତି ହେବେ ।

ବିଲାଓ୍ବାଲ କହିଛନ୍ତି- ସରକାର ଗଠନ ଲାଗି ଦୁଇ ଦଳ ଆବଶ୍ୟକୀୟ ସଂଖ୍ୟା ହାସଲ କରିଛନ୍ତି । ସରକାର ଗଠନ କ୍ଷେତ୍ରରେ ପାକିସ୍ତାନ ତେହରିକ-ଇ-ଇନସାଫ ଓ ସୁନ୍ନୀ ଇତେହାଦ କାଉନସିଲ ବିଫଳ ହୋଇଛନ୍ତି । ଗତ ଫେବ୍ରୁଆରୀ ୮ରୁ ନିର୍ବାଚନ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ସମ୍ଭବ ହୋଇପାରିନାହିଁ ।

ନିର୍ବାଚନରେ ପିଟିଆଇ ୯୩ ଆସନ ହାସଲ କରିଥିଲେ ବି ସମର୍ଥନ ଅଭାବରୁ ଦଳ ସରକାର ଗଠନ କରିବାକୁ ଅକ୍ଷମ ହୋଇଥିଲା । ସେହିପରି ପିଏମଏଲ-ଏନ ୭୫ ଆସନ ହାସଲ କରିଥିବାବେଳେ ପିପିପି ୫୪ ଆସନ ହାସଲ କରିଛି । ଏମକ୍ୟୁଏମ-ପି ୧୭ ଆସନ ପାଇଛି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏଁ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।