ହିଟ୍ ଓ୍ବିକେଟ୍ ହେବା ବେଳେ ଇମ୍ରାନଙ୍କ ଭାରତ ପ୍ରେମ

ଇସଲାମାବାଦ: କ୍ରିକେଟ ଫିଲ୍ଡରେ ଷ୍ଟମ୍ଫ ଭାଙ୍ଗି କ୍ଲିନ ବୋଲ୍ଡ କରୁଥିବା ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ରାଜନୀତି ଫିଲ୍ଡରେ ହେବାକୁ ଯାଉଛନ୍ତି ହିଟ୍ ଓ୍ବିକେଟ । ୨୮ ତାରିଖରେ ନିଜ ଓ୍ବିକେଟ ଗଡିବାକୁ ଥିବା ବେଳେ ବିଚଳିତ ହୋଇ ପଡିଛନ୍ତି ନିଆଜି । ଏମିତି ସ୍ଥିତିରେ ଭାରତ ପ୍ରତି ତାଙ୍କ ପ୍ରେମ ହଠାତ ଉଚ୍ଛୁଳି ପଡିଛି । ଯେଉଁ ମୁହଁରେ ଭାରତ ବିରୋଧରେ ବିଷ ଉଗାରୁ ଥିଲେ, ଆଜି ସେହି ମୁହଁରେ କରୁଛନ୍ତି ଭୁରୀ ଭୁରୀ ପ୍ରଶଂସା ।

ଭାରତର ବୈଦେଶିକ ନୀତିକୁ ଏବେ ବୁଲି ବୁଲି ପ୍ରଶଂସା କରୁଛନ୍ତି ଇମ୍ରାନ । ଆଶା ରଖିଛନ୍ତି, ଭାରତକୁ ଏମିତି ପ୍ରଶଂସା ତାଙ୍କ ଟଳମଳ ଚୌକିକୁ ବଞ୍ଚାଇ ଦେବ । ଇମ୍ରାନ କହିଛନ୍ତି, ‘ଭାରତ ଓ ଆମେରିକା କ୍ବାଡରେ ଅଛନ୍ତି । ଏହା ପରେ ବି ଭାରତ ଋଷ ପାଖରୁ ତେଲ ଆମଦାନୀ କରୁଛି । ଏହା ଭାରତର ବିଦେଶ ନୀତି । ହିନ୍ଦୁସ୍ଥାନର ଏପରି ବିଦେଶ ନୀତି ପ୍ରଶଂସନୀୟ । କାହା ଚାପରେ ଭାରତ କେବେ ନିଜ ବୈଦେଶିକ ନୀତିରେ ପରିବର୍ତ୍ତନ କରି ନଥାଏ ।’

ସେ ଆହୁରି କହିଛନ୍ତି, ‘ଭାରତ, ଆମେରିକା ସହ ମେଣ୍ଟ କରିଛି । ତଥାପି ନିଜକୁ ନିରପେକ୍ଷ କହୁଛି । ଆମେରିକା ଓ ୟୁରୋପୀୟ ଦେଶଙ୍କ ପ୍ରତିବନ୍ଧକ ପରେ ବି ଭାରତ ଋଷ ପାଖରୁ ତେଲ କିଣୁଛି । କାରଣ ଭାରତର ବୈଦେଶିକ ନୀତି ନିଜ ଲୋକଙ୍କ ସୁବିଧା ପାଇଁ କାମ କରିଥାଏ ।’

କୌଣସି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ପୂରା କରିନାହାନ୍ତି

ସୂଚନାଯୋଗ୍ୟ, ପାକିସ୍ତାନ ରାଜନୀତିରେ ପୁଣି ଥରେ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି । ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନରେ କୌଣସି ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକାଳ ଶେଷ କରିପାରି ନାହାନ୍ତି । ଏବେ ଇମ୍ରାନ ଖାନ ବି ସମାନ ଢଙ୍ଗରେ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ଯାଉଛନ୍ତି । ୨୮ ତାରିଖରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ତା ପ୍ରସ୍ତାବ ଉପରେ ବୋଟିଂ ହେବ । ଯାହାକୁ ନେଇ ନିଆଜି ଇମ୍ରାନଙ୍କୁ ନିଦ ହେଉନି । କାରଣ ନିଜ ଦଳର ପାଖାପାଖି ୨୪ ଜଣ ସାଂସଦ ତାଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ।

ଇମ୍ରାନ ଯେବେ ଏହି ଚୌକିରେ ବସିଥିଲେ ଲାଗୁଥିଲା, କ୍ରିକେଟରେ ଦେଶ ପାଇଁ ଗୌରବ ଆଣିଥିବା ଏହି ବ୍ୟକ୍ତି ପାକିସ୍ତାନର ଛବି ବଦଳାଇବାରେ ଚେଷ୍ଟା କରିବେ । ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଜିତିବା, ୨୩ ସ୍ବାଧୀନ ସାଂସଦଙ୍କ ସମର୍ଥନ ଓ ସେନା ସହଯୋଗରେ ପ୍ରଧାନମନ୍ତ୍ରୀ ହେବା ପରେ ଅନ୍ୟ ପ୍ରଧାନମନ୍ତ୍ରୀମାନଙ୍କ ପରି ଇମ୍ରାନ ମଧ୍ୟ ସମାନ ଟ୍ରାକରେ ଚାଲିଲେ । କାଙ୍ଗାଳ ପାକିସ୍ତାନ ପାଇଁ ହାତରେ ଗିନା ଧରି ଏ ଦେଶରୁ ସେ ଦେଶକୁ ଯାଇ ଭିକ୍ଷ ମାଗିବା ଛଡା କିଛି କରିପାରି ନାହାନ୍ତି । ଭାରତ ବିରୋଧୀ ନୀତି, ଧ୍ବସ୍ତ ଅର୍ଥନୀତି, ଦରଦାମ ବୃଦ୍ଧି, ବେଲୁଚିସ୍ତାନ ଓ ସିନ୍ଧ ପ୍ରଦେଶରେ ସ୍ବାଧୀନତାର ବିଦ୍ରୋହ ଇମ୍ରାନଙ୍କ ପାଇଁ ପାଳସର୍ପ ପାଲଟିଛି । ଏମିତି ସ୍ଥିତିରେ ଇମ୍ରାନଙ୍କ ମନରେ ହଠାତ୍ ଭାରତ ପ୍ରେମ ଉଚ୍ଛୁଳି ପଡିଛି ଓ ଭାରତର ବୈଦେଶିକ ନୀତି ନମ୍ବର ଓ୍ବାନ ମନେ ହେଉଛି । ଭାରତ ନାଁରେ ମିଠା ମିଠା କଥା କହି ଇମ୍ରାନ ନୂଆ ଗୋଟି ଚାଳନା କରିଛନ୍ତି । ଆଶ ରଖିଛନ୍ତି, ଏମିତି କରି ବୁଡି ଯାଉଥିବା ତାଙ୍କ ରାଜେନୖତିକ ଡଙ୍ଗାକୁ କୂଳକୁ ଆଣିବାକୁ ସକ୍ଷମ ହେବେ ।