ଅପରେସନ ସିନ୍ଦୂର ଘା’ ଶୁଖୁନି, ପାକିସ୍ତାନୀ ସେନା ଗଣୁଛି ଶବ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ଏବେ ବି ପାକିସ୍ତାନୀ ଓ ପାକିସ୍ତାନ ସେନାର ନିଦ ହଜାଇଛି । ୯ ଓ ୧୦ ମେ’କୁ ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ବହୁତ କ୍ଷତି ହୋଇଥିବା ପାକିସ୍ତାନ ସରକାର ସ୍ବୀକାର କରିଛନ୍ତି । ଏହି ଆକ୍ରମଣରେ ପାକିସ୍ତାନର ୧୩ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଅପରେସନ ସିନ୍ଦୂରରେ ଭୋଲାରୀ ଏୟାରବେଶରେ ଭାରତ ପକ୍ଷରୁ ହୋଇଥିବା ଆକ୍ରମଣରେ ସ୍କ୍ବାଡନ ଲିଡର ଉସ୍ମାନ ୟୁସୁଫଙ୍କ ମୃତ୍ୟୁ ଘଟିଥିଲା । ୟୁସୁଫଙ୍କୁ ରାଷ୍ଟ୍ରପତି ଭବନରେ ମରଣୋତ୍ତର ସମ୍ମାନ ଦିଆଯାଇଥିବା ପାକିସ୍ତାନ ସ୍ବୀକାର କରିଛି । ଏହାବାଦ ଦୁର ଖାନ୍, ସରଗୋଧ, ଜ୍ୟାକବାବାଦ, ଭୋଲାରୀ ଓ ଶେରକୋଟ ଏୟାରବେସରେ ଭାରତର ଏୟାର ଷ୍ଟ୍ରାଇକରେ ଏକାଥିକ ସୈନିକଙ୍କ ମୃତ୍ୟୁ ଘଟିଥିଲା ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା ମେ’ ୭ ତାରିଖରେ ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆତଙ୍କବାଦ ସେଷ୍ଟରକୁ ଧ୍ବଂସ କରାଯାଇଥିଲା । କିଛି ରିପୋର୍ଟରେ ଏହା ବି କୁହାଯାଇଥିଲା ନୁର ଖଶନ ଏୟାରବେସରେ ହୋଇଥିବା ଆକ୍ରମଣରେ ଜଣେ ଆମେରିକୀୟ ଟେକ୍ନିସିଆନ ମଧ୍ୟ ଆହତ ହୋଇଥିଲେ । ଏସବୁ ସୂଚନା ପାକିସ୍ତାନ ରାଷ୍ଟ୍ରପତି ଭବନରେ ଆୟୋଜିତ ବାର୍ଷିକ ପୁରସ୍କାର ସମାରୋହରେ ଦିଆଯାଇଛି ।
ଅଗଷ୍ଟ ୧୪ ତାରିଖ ପାକିସ୍ତାନ ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ରାଷ୍ଟ୍ରପତି ଭବନରେ ଅପରେସନ ସିନ୍ଦୂରରେ ମୃତ୍ୟବରଣ କରିଥିବା ସେନା କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ।
ସୂଚନାଯୋଗ୍ୟ, ମେ’ ୭ ତାରିଖ ସକାଳେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ସେଣ୍ଟର ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଗତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଉତ୍ତର ଦେବାକୁ ଯାଇ ଭାରତ ପକ୍ଷରୁ ଏହି ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ଲସ୍କର ଏ ତୌୟବାର ସଙ୍ଗଠନ ରେଜିଷ୍ଟ୍ରାନ୍ସ ଫ୍ରଣ୍ଟ ଏଥିପାଇଁ ନିଜକୁ ଦାୟି କରିଥିଲା ।