ଭାରତ ସହ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ । ଯଦି ପାକିସ୍ତାନର ସ୍ଥିତି ପ୍ରତି ବିପଦ ଆସେ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ ଲାଗି ପଛଘୁଞ୍ଚା ଦିଆଯିବ ନାହିଁ ବୋଲି କହିସାରିଛନ୍ତି ପାକ୍ ମନ୍ତ୍ରୀ ହନିଫ ଆବାସି, ଆମେରିକା ଲାଗି ନିଯୁକ୍ତ ରାଷ୍ଟ୍ରଦୂତ ରିଜଓ୍ବାନ ଶେଖ ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଦୁଇ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନା ପ୍ରଶମିତ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିକଟରେ ଅନୁରୋଧ କରିଥିଲେ ରାଷ୍ଟ୍ରଦୂତ ଶେଖ୍ । ଏବେ ପ୍ରଶ୍ନ ଉଠୁଛି ସମ୍ଭାବ୍ୟ ଆଣବିକ ଟେନସନରେ ଆମେରିକାର ଭୂମିକା କଣ ରହିବ । ଅତୀତରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବୁଶଙ୍କ ସମୟରେ ପାକିସ୍ତାନର ଆଣବିକ ଅସ୍ତ୍ରର ସୁରକ୍ଷା ଲାଗି ଆମେରିକା ପଦକ୍ଷେପ ନେଇଥିଲା ।
ତେଣେ ବେଲାରୁଷ ଓ ଚୀନ ସହାୟତାରେ ପାକିସ୍ତାନ ଲଙ୍ଗରେଞ୍ଜ ମିସାଇଲ ଓ ପେଲୋଡ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଜାରି ରଖିଛି । ଏହି ଯୋଜନା ବଳରେ କିଛି ବର୍ଷ ମଧ୍ୟରେ ପାକିସ୍ତାନ ୩ ହଜାର କିଲୋମିଟର ଦୂରକୁ ହିଟ୍ କରିପାରୁଥିବା କ୍ଷେପଣାସ୍ତ୍ରର ଅଧିକାରୀ ହେବ । ପାକିସ୍ତାନକୁ ଆଣବିକ ଯନ୍ତ୍ରାଂଶ ସହଯୋଗ କରୁଥିବାରୁ ଚୀନ ଓ ବେଲାରୁଷର କେତେକ ଫାର୍ମ ସମେତ ପାକିସ୍ତାନର କେତେକ ସରକାରୀ ସଂସ୍ଥା ବିରୋଧରେ ଆମେରିକା କଟକଣା ଜାରି କରିସାରିଛି । ୨୦୧୫ରେ ପ୍ରଥମେ ପାକିସ୍ତାନ ପରୀକ୍ଷା କରିଥିବା ସାହିନ-୩ ମିସାଇଲର କ୍ଷମତା ୨ ହଜାର ୭୫୦ କିଲୋମିଟର ଥିଲା । ଏହାର ଅର୍ଥ ଭାରତର ଯେ କୌଣସି ସ୍ଥାନକୁ ହିଟ୍ କରିବାର କ୍ଷମତା ପାକିସ୍ତାନ ନିକଟରେ ରହିଛି ।