ଲୋକପ୍ରିୟ ୟୁଟ୍ୟୂବର ଜ୍ୟୋତି ମଲହୋତ୍ରା ପାକିସ୍ତାନୀ ଗୁପ୍ତଚର, ଜ୍ୟୋତି ସମେତ ୬ ଜଣଙ୍କୁ ଉଠାଇ ନେଲା ପୋଲିସ
1 min read
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଗୁପ୍ତଚରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ପଞ୍ଜାବ ଓ ହରିୟାଣା ପୋଲିସ ମିଳିତ ଭାବେ କିଛି ସନ୍ଧିଗ୍ଧଙ୍କୁ ଗିରଫ କରିଛନ୍ତି । ଏମାନଙ୍କ ମଧ୍ୟରେ ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଅଛନ୍ତି । ପଞ୍ଜାବର ମଲେରକୋଟଲାରୁ ଗିରଫ ଗଜାଲାଙ୍କୁ ପଚରାଉଚରା ବେଳେ ଜ୍ୟୋତି ଓ ଅନ୍ୟମାନଙ୍କ ନାଁ ଆସିଥିଲା । ସୂଚନା ମିଳିବା ପରେ ଦୁଇ ରାଜ୍ୟର ପୋଲିସ ଆକ୍ସନକୁ ଆସିବା ସହ ଜ୍ୟୋତି ଏବଂ ଅନ୍ୟ ୫ ଜଣଙ୍କ କୁଣ୍ଡଳୀ ବାହାର କରିବା ସହ ସେମାନଙ୍କୁ ଗିରଫ କରିଛି । ଗିରଫ ପରେ ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ୫ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି ।
କିଏ ଏହି ଜ୍ୟୋତି ମଲହୋତ୍ରା
ଟ୍ରାଭେଲ ଉଇଥ ଜୋ ୟୁଟ୍ୟୁବ ଚ୍ୟାନେଲରୁ ଜ୍ୟୋତି ଲୋକପ୍ରିୟତା ପାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ସେ ୩ ଥର ପାକିସ୍ତାନ ଓ ଥରେ ଚୀନ, ୟୁଏଇ, ବାଂଲାଦେଶ, ଭୁଟାନ ଓ ଥାଇଲ୍ୟାଣ୍ଡ ଗସ୍ତ କରିସାରିଛି । ଦୁଇ ବର୍ଷ ପୂର୍ବେ ସେ ପାକିସ୍ତାନ ଉଚ୍ଚାୟୁକ୍ତ ଡାନିଶ ସମ୍ପର୍କରେ ଆସିଥିଲା । ପାକିସ୍ତାନ ଗସ୍ତ ବେଳେ ସେ ସେଠାରେ ଗୁପ୍ତଚର ସଂସ୍ଥା (ଆଇଏସଆଇ)ର ଅଧିକାରୀ ଓ ଅନ୍ୟମାନଙ୍କୁ ଭେଟିଥିଲା । ଭାରତ ଫେରିବା ପରେ ୟୁଟ୍ୟୁବ ଜରିଆରେ ସମ୍ବେଦନଶୀଳ ସ୍ଥାନର ସୂଚନା ଦେବା ସହ ପାକିସ୍ତାନର ଇମେଜ୍ ବଢ଼ାଇବାକୁ ଚେଷ୍ଟା କରିଥିଲା ।
ଗୁପ୍ତଚରୀ ଅଭିଯୋଗରେ କେବଳ ଜ୍ୟୋତି ଗିରଫ ହୋଇ ନାହାନ୍ତି । ତାଙ୍କ ସହ ଅନ୍ୟ ୫ ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ସୁରକ୍ଷା କର୍ମୀ କାବୁ କରିଛନ୍ତି । ଆସନ୍ତୁ ଜାଣିବା ଗୁପ୍ତଚର ଅଭିଯୋଗରେ ଆଉ କିଏ କିଏ ଗିରଫ ହୋଇଛନ୍ତି ଓ ସେମାନଙ୍କ କୁଣ୍ଡଳୀ ।
ହନିଟ୍ରାପରେ ପାକିସ୍ତାନ ଜାଲରେ ଫସିଲେ ଦେବେନ୍ଦ୍ର
ପଞ୍ଜାବ ପୋଲିସ ମଲେରକୋଟଲାରୁ ଗଜାଲା ଓ ତା’ ସାଥି ୟାମିନ ମହମ୍ମଦକୁ ଗିରଫ କରିଥିଲା । ଗଜାଲାର କାମ ହେଲା ଡାନିଶ ପାଖରୁ ଟଙ୍କା ନେଇ ଗୁପ୍ତଚରଙ୍କ ପାଖରେ ପହଞ୍ଚାଇବା । ସେହିପରି ୟାମିନ ମଧ୍ୟ ଦାନିଶ ସମ୍ପର୍କରେ ଥିଲା । ପଚରାଉଚରା ବେଳେ ଜ୍ୟୋତି ସମେତ ଅନ୍ୟ ଗୁପ୍ତଚରଙ୍କ ସୂଚନା ମିଳିଥିଲା । ଏହି କ୍ରମରେ ହରିୟାଣାର କେଥଲରୁ ଦେବେନ୍ଦ୍ର ସିଂହ ନାମକ ଯୁବକଙ୍କୁ ଗିରଫ କରାଯାଇଥିଲା । ୨୦୨୪ରେ ଦେବେନ୍ଦ୍ର ଏକ ଶିଖ ଗ୍ରୁପଙ୍କ ସହ ପାକିସ୍ତାନ ଯାଇଥିଲା । ସେଠାରେ ସେ ଆଇଏସଆଇ ସମ୍ପର୍କରେ ଆସିଥିଲା । ତାକୁ ହନିଟ୍ରାପରେ ଫସାଇ ପଟିଆଲା କାଣ୍ଟର ଫଟୋ ଓ ଭିଡିଓ ପଠାଇବାକୁ କୁହାଯାଇଥିଲା ।
ଗୁପ୍ତଚରଙ୍କ ପାଖରେ ସାମଗ୍ରୀ ପହଞ୍ଚାଉଥିଲା ଅରମାନ
ଜ୍ୟୋତି ଓ ଦେବେନ୍ଦ୍ରଙ୍କ ପରି ନୁହରୁ ଅରମାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେ ୬ ମାସ ପୂର୍ବରୁ ଡାନିଶର ସମ୍ପର୍କରେ ଆସିଥିଲା । ତାକୁ ଟଙ୍କା ଓ ସିମ୍ କାର୍ଡ ଦିଆଯାଇଥିଲା । ସେ ଡିଫେନ୍ସ ଏକ୍ସପୋର ଫଟୋ ପାକିସ୍ତାନ ପଠାଇଥିଲା । ଅରମାନ ମଧ୍ୟ ଅନ୍ୟ ଗୁପ୍ତଚରଙ୍କ ପଖରେ ଟଙ୍କା ପହଞ୍ଚାଇବା କାମ କରୁଥିଲା । ଏହି ଗୁପ୍ତଚରୀ ଲିଙ୍କର ଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ପୋଲିସ ଏବେ ଏମାନଙ୍କୁ ପଚରାଉଚରା କରୁଛି ।
ଗୁପ୍ତଚରଙ୍କ କୁଣ୍ଡଳୀ
ଗଜାଲା ନାମକ ମୁସଲିମ ବିଧବା ପାକିସ୍ତାନ ଭିଜା ପାଇଁ ପିଏଚସି ଷ୍ଟାଫର ଏହସାନ-ଉର-ରହିମ ଓରଫ ଡାନିଶକୁ ୪ ମାସ ପୂର୍ବରୁ ଭେଟିଥିଲା । ଡାନିଶ ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହାର ପ୍ରଲୋଭନ ଦେଖାଇଥିଲା । ଏହାସହ ଗଜାଲାଙ୍କ ପାଖକୁ ଟଙ୍କା ପଠାଇବା ଆରମ୍ଭ କରିଥିଲ । ପରେ ଏଜେଣ୍ଟଙ୍କ ସହ ଟଙ୍କା ନେଣ, ଦେଣ ପାଇଁ ଗଜାଲାଙ୍କୁ ବ୍ୟବହାର କରାଯାଇଥିଲା । ଅନ୍ୟତମ ଅଭିଯୁକ୍ତ ୟାମିନ ଏମିତି ଦାନିଶ ସମ୍ପର୍କରେ ଆସିଥିଲା ଓ ଭିଜା ଦେବା କାମ କରିବା ଆରମ୍ଭ କରିଥିଲା ।
ଦେବେନ୍ଦ୍ର ସିଂହ ଢିଲୋ ପଟିଆଲାର ଛାତ୍ର । ନଭେମ୍ବର ୨୦୨୪ରେ ଗୁରୁ ନାନକ ଜୟନ୍ତୀରେ ପାକିସ୍ତାନ ଯାଇଥିଲା । ସେଠାରେ ପାକିସ୍ତାନ ଏଜେଣ୍ଟ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ । କାରଣ ତାଙ୍କ ସହ ହନିଟ୍ରାପ କରିବାର ସମ୍ଭାବନା ଥିଲା । ତାଙ୍କୁ ହ୍ବାଟ୍ସଆପ କଲ୍ ଜରିଆରେ ଭିଡିଓ ଓ ଅନ୍ୟ ତଥ୍ୟ ପଠାଇବାକୁ କୁହାଯାଇଥିଲା ।
ସେହିପରି ଜ୍ୟୋତି ଜଣେ ବିବାହିତ ହିନ୍ଦୁ ମହିଳା ହୋଇଥିବା ବେଳେ ୟୁଟ୍ୟୁବ ଚ୍ୟାନେଲ ଟ୍ରେଭେଲ ଉଇଥ ଜୋ’ର ଟ୍ରାଭେଲ ବ୍ଲଗର । ସେ ପ୍ରଥମେ ଡାନିଶ ସମ୍ପର୍କରେ ଆସିଥିଲେ । ପରେ ତାଙ୍କୁ ପାକିସ୍ତାନୀ ଏଜେଣ୍ଟଙ୍କ ସହ ମିଶା ଯାଇଥିଲା । ଗତ ଦୁଇ ବର୍ଷରେ ସେ ତିନି ଥର ପାକିସ୍ତାନ ଯାଇଛନ୍ତି । ଏହାସହ ଚୀନ, ବାଂଲାଦେଶ, ଥାଇଲ୍ୟାଣ୍ଡ, ନେପାଳ, ଭୁଟାନ ଓ ୟୁଏଇ ମଧ୍ୟ ଗସ୍ତ କରିଛନ୍ତି । ତାଙ୍କୁ ୟୁଟ୍ୟୁବରେ ପାକିସ୍ତାନ ସମ୍ପର୍କରେ ଭଲ ଦେଖାଇବାକୁ କୁହାଯାଇଥିଲା । ତାଙ୍କର ପିଆଇଓର ଜଣେ ଏଜେଣ୍ଟଙ୍କ ସହ ସମ୍ପର୍କ ହୋଇଯାଇଥିଲା । କିଛିଦିନ ପୂର୍ବରୁ ସେ ଉକ୍ତ ବ୍ୟକ୍ତିଙ୍କ ସହ ଇଣ୍ଡୋନେସିଆରେ ଗୋଟିଏ ସପ୍ତାହ କହିଥିଲେ । ତାଙ୍କ ସୋସିଆଲ ମିଡ଼ିଆକୁ ପାକିସ୍ତାନ ପାଇଁ ବ୍ୟବହାର କରାଯାଇଥିଲା ।
ହରିୟାଣାର ଅରମାନ ୬ ମାସ ପୂର୍ବେ ଭିଜା ପାଇଁ ଡାନିଶ ସମ୍ପର୍କରେ ଆସିଥିଲେ । ଟଙ୍କାର ଲୋକ ଦେଖାଇ ତାକୁ ଗୁପ୍ତଚର କାମରେ ସାମିଲ କରାଯାଇଥିଲା । ସେ ଡାନିଶକୁ ଏକ ଭାରତୀୟ ସୀମ୍ ଦେବା ସହ ସେଥିରେ ହ୍ବାଟ୍ସଆପ ଆକ୍ଟିଭ କରିଥିଲା । ଯାହାକୁ ପାକିସ୍ତାନ ଏଜେଣ୍ଟ ବ୍ୟବହାର କରୁଥିଲେ । ୨୦୨୫ ଡିଫେନ୍ସ ଏକ୍ସପୋକୁ ଯାଇ ଫଟୋ ଉଠାଇ ପଠାଇବାକୁ କୁହାଯାଇଥିଲା । ତାଙ୍କୁ ମଧ୍ୟ ଟଙ୍କା ନେଣ ଦେଣ କାମରେ ଲଗାଯାଉଥିଲା ।