spot_img

Latest Posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସମିତ୍ୟ ସଭ୍ୟ ନେଇ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ

କଣ୍ଟାବାଞ୍ଜି: ପଞ୍ଚାୟତ ନିର୍ବାଚନ ମୈଦାନରେ ସମ୍ପର୍କର ଲଢ଼େଇ । କେଉଁଠି ବାପ ପୁଅ ତ କେଉଁଠି ସ୍ବାମୀ ସ୍ତ୍ରୀ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦ୍ବିତା । କିନ୍ତୁ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକରେ ଦେଖିବାକୁ ମିଳିଛି ଟିକେ ଭିନ୍ନ ଚିତ୍ର । ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଛନ୍ତି ଗୋଟିଏ ପରିବାରର ୭ ଜଣ ସଦସ୍ୟ । ସେମାନେ ସମାନ ପଞ୍ଚାୟତର ସମାନ ପଦବୀ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁନଥିବା ହେଁ ଗୋଟିଏ ପରିବାରର ଏତେ ଜଣ ପ୍ରାର୍ଥୀ ସମସ୍ତଙ୍କୁ ତାଜୁବ କରିଛି । ଏବଂ ଏହା ଏବେ ସମ୍ପର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବେଲପଡ଼ା ବ୍ଲକର ଗମ୍ଭାରୀ, ଯୁବା, ବାହାବଲ, ଘାଗୁର୍ଲି, ତେଲେଲମୁଣ୍ଡା, ବେହେରାମୁଣ୍ଡା ପଞ୍ଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ଲୋଇସିଂହା ବ୍ଲର ବାଞ୍ଜିପାଳି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପରିବାରର ଜଣେ ସଦସ୍ୟ କରୁଛନ୍ତି ଭାଗ୍ୟ ପରୀକ୍ଷା ।

ନିର୍ବାଚନ ମୈଦାନରେ ଗୋଟିଏ ପରିବାରର ୭ ସଦସ୍ୟ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକରେ ଚର୍ଚ୍ଚା । ବ୍ଲକର ଗଣେଶ କୁମ୍ଭାରଙ୍କ ପରିବାରରୁ ସମିତି ସଭ୍ୟ ପାଇଁ ଲଢୁଛନ୍ତି ୭ ସଦସ୍ୟ । ଗମ୍ଭାରୀ, ଯୁବା, ବାହାବଲ, ଘାଗୁର୍ଲି, ତେତେଲମୁଣ୍ଡା, ବେହେରାମୁଣ୍ଡା ସହ ଲୋଇସିଂହା ବ୍ଳକର ବାଞ୍ଜିପାଲି ସମିତି ସଭ୍ୟ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପରିବାରର ସଦସ୍ୟ ତଥା ସମିତି ପ୍ରାର୍ଥୀ ପୃଥକ ପୃଥକ ଭାବେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଘରକୁ ଘର ଯାଇ କରୁଛନ୍ତି ଭୋଟ ଭିକ୍ଷା ।

ଗଣେଶ କୁମ୍ଭାର ବିଜେଡି ଦଳର ଏକ ସକ୍ରିୟ ନେତା ଭାବେ ପରିଚିତ । ଏବେ ସେ ସେ ଯୁବ ବିଜେଡି ବ୍ଲକ ସଭାପତି ଅଛନ୍ତି । ବିଜେଡି ପାଇଁ ପୂରା ପରିବାର ସମର୍ପିତ । ଏବେ ବେଳପଡା ବ୍ଲକର ବେହେରାମୁଣ୍ଡାରେ ପୁତୁରା ଦୁର୍ଯ୍ୟୋଧନ କୁମ୍ଭାର ଲଢୁଥିବାବେଳେ ବାହାବଲରୁ ପୁତୁରାବହୂ ହେମଶ୍ରୀ କୁମ୍ଭାର, ଯୁବା ପଞ୍ଚୟତରୁ ଝିଆରୀ ପ୍ରମିଳା ବାଗ, ଘାଗୁର୍ଲି ପଞ୍ଚାୟତରୁ ରୀନା କୁମ୍ଭାର, ଗମ୍ଭୀର ପଞ୍ଚାୟତରୁ ଟିନା କୁମ୍ଭାର, ତେତେଲମୁଣ୍ଡାରୁ ଭଉଣୀ ପୁଷ୍ପାଞ୍ଜଳି ତାଣ୍ଡି, ଲୋଇସିଂହା ବ୍ଲକ ବାଞ୍ଜିପାଲି ପଞ୍ଚାୟତରୁ ଭାଣଜୀ ଜ୍ୟୋତ୍ସ୍ନାମୟୀ ନାଗ ନିର୍ବାଚନ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ଲୋକାଭିମୁଖୀ ଯୋଜନା ଚଳିତ ବର୍ଷ ଅଞ୍ଚଳରେ ବିଜେଡିକୁ ବିପୁଳ ମାତ୍ରାରେ ବିଜୟୀ କରାଇବ ବୋଲୋ ଆଶା ରଖିଛନ୍ତି ପୂରା ପରିବାର ।

Latest Posts

Don't Miss