ବିହାରରେ ଆମ୍ବୁଲାନ୍ସ ଅଭାବ କିନ୍ତୁ ବିଜେପି ଏମପିଙ୍କ ଅଫିସ ପରିସରରେ ପଡି ରହିଛି ୧୨ରୁ ଅଧିକ ଆମ୍ବୁଲାନ୍ସ

1 min read

ପାଟନା: କରୋନା ହମଲାରେ ଦେଶ ବେହାଲ । କରୋନା ମୁକାବିଲା କରିବାରେ ଦେଶର ସ୍ୱାସ୍ଥ୍ୟସେବା ଏକରକମ ବିଫଳ ହୋଇଛି କହିଲେ ଭୁଲ ହେବନାହି । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ ସହିତ ଗୁରୁତରଙ୍କୁ ଆମ୍ବୁଲାନ୍ସ ବି ମିଳୁନି । ଏହି ସମୟରେ ଘରୋଇ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ନିଜ ମନମାନ ଚଳାଇଛନ୍ତି । ୩ ଚାରି କିଲୋମିଟର ଯିବାକୁ ୧୦ ହଜାର ଟଙ୍କା ଯାଏ ଦାବି କରୁଥିବା ଖବର ମଧ୍ୟ ଆସୁଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ବିଜେପିକୁ ବ୍ୟାକଫୁଟକୁ ନେଇଛି । ବିହାରର ସାରନ ଲୋକସଭା ସାଂସଦ ରାଜିବ ପ୍ରତାପ ରୁଡ୍ଡିଙ୍କ ଗାଁ ଅମନୌରରେ ସ୍ଥିତ ବାସଭବନରେ ୧୨ ଆମ୍ବୁଲାନ୍ସ ଛିଡା ହୋଇଥିବା ଦେଖିବାକୁ ମିଳିଛି । ବିହାର ସରକାର ରାଜ୍ୟରେ ଆମ୍ବୁଲାନ୍ସ ଅଭାବକୁ ଦେଖି ଗାଇଡ୍ ଲାଇନ୍ ଜାରି କରିଛନ୍ତି । କିନ୍ତୁ ବିଜେପି ସାଂସଦଙ୍କ ଘର ଆଗରେ ତାରପୁଲିନ୍ ଘୋଡା ହୋଇ ଏମିତି ରଖା ଯାଇଛି ଆମ୍ବୁଲାନ୍ସ । ଦେଖନ୍ତୁ କେମିତି ଆମ୍ବୁଲାନ୍ସ ଧାଡି ବାନ୍ଧି ଛିଡା ହୋଇଛନ୍ତି । ରୋଗୀଙ୍କୁ ଯେତେବେଳେ ଆମ୍ବୁଲାନ୍ସ ମିଳୁନି ସେତେବେଳେ ସରକାରୀ ଆମ୍ବୁଲାନ୍ସ ଏମିତି ପଡି ରହିବା କେତେ ଦୁର ଠିକ୍ ?


ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି ମୁଖ୍ୟ ପପ୍ପୁ ଯାଦବ ରୁଡ୍ଡିଙ୍କ ଗାଁରେ ପହଂଚିଥିଲେ । ପପୁ ରୁଡ୍ଡିଙ୍କ ଗାଁରେ ପହଂଚି ଆମ୍ବୁଲାନ୍ସ ଉଦ୍ଧାର କରିଥିଲେ । ପପୁଙ୍କ ଅଭିଯୋଗ ହେଉଛି ସାଂସଦଙ୍କ ଗାଁ ଘରେ ୧୦୦ରୁ ଅଧିକ ଆମ୍ବୁଲାନ୍ସ ଥିଲା । କିନ୍ତୁ ପରେ ସେ ଆସିବା ଖବର ପହଂଚିବା ପରେ ସେସବୁକୁ ଏଠାରୁ ହଟାଇ ଦିଆଯାଇଛି । ଅନ୍ୟପକ୍ଷରେ ରୁଡ୍ଡିଙ୍କ କହିବା ହେଉଛି ଶହେ ନୁହେଁ ୨୦ ଟି ଆମ୍ବୁଲାନ୍ସ ଥିଲା । କିନ୍ତୁ ଡ୍ରାଇଭର ଅଭାବ କାରଣରୁ ଏହି ଆମ୍ବୁଲାନ୍ସ ସବୁକୁ ଅପରେଟ୍ କରି ହେଉନି । ତେବେ ପପୁ ଯାଦବ ରୁଡ୍ଡିଙ୍କ ଡ୍ରାଇଭର ଅଭାବ ଯୁକ୍ତିକୁ ଖଣ୍ଡନ କରିଛନ୍ତି । ଡ୍ରାଇଭର ସେ ଯୋଗାଇ ଦେବେ ବୋଲି ଦାବି କରିଛନ୍ତି । ଏମିତିକି ତାଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ନିଜ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଖାଇଥିଲେ ।

ସାଂସଦ ପାଣ୍ଠିରେ ଏହି ସବୁ ଆମ୍ବୁଲାନ୍ସକୁ କିଣା ଯାଇଥିଲା । ଆମ୍ବୁଲାନ୍ସ ଉପରେ ଏମପିଲାଡ୍-୨୦୧୯ ଲେଖାଯାଇଥିବା ଦେଖିବାକୁ ମିଳୁଛି । ସବୁଠୁ ବଡ କଥା ହେଲେ ଯେତେବେଳେ ଆମ୍ବୁଲାନ୍ସ ପାଇଁ ରୋଗି ହଇରାଣ ହରକତ ହେଉଛନ୍ତି ସେତେବେଳେ ବିନା ବ୍ୟବହାରରେ ଏମିତି ଆମ୍ବୁଲାନ୍ସ ପଡି ରହିବା ମାନବତା ବିରୋଧରେ ଅପରାଧ ନୁହେଁ କି ?

Leave a Reply