ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜି ଆରମ୍ଭ ହୋଇଛି। କରୋନା ସଂକଟ ଏବଂ କୃଷକ ମାନଙ୍କର ଆନ୍ଦୋଳନ ମଧ୍ୟରେ ଏହି ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ ସହିତ ଏହି ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନେପକାଇ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ କରୋନା ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ମଧ୍ୟ କରୋନା କାରଣରୁ ମୃତ୍ୟୁ ଘଟିଛି। ଏହା ସହ କରୋନା କାରଣରୁ ସଂସଦର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କହି ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶକୁ ଅନୁସରଣ କରି ମୋ ସରକାର ଏମଏସପି ମୂଲ୍ୟ ଦ୍ୱିଗୁଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୋ ସରକାର କେବଳ ଏମଏସପିରେ ରେକର୍ଡ ପରିମାଣ କ୍ରୟ କରୁନାହାଁନ୍ତି, ବରଂ କ୍ରୟ କେନ୍ଦ୍ରିକ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରୁଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ୬ ବର୍ଷରେ ସରକାର ବିହନ ଠାରୁ ବଜାର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି। ଯାହା ଦ୍ୱାରା ଭାରତୀୟ କୃଷି ଆଧୁନିକି କରଣ ହୋଇପାରିବ ଏବଂ କୃଷିର ମଧ୍ୟ ବିସ୍ତାର ହୋଇପାରିବ।
ସେହିପରି ମୁଦ୍ରା ଯୋଜନାରେ ୨୫ କୋଟିର ଋଣ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତିରେ ସକାରାତ୍ମକ ପରିବର୍ତ୍ତନ ଘଟିଛି । ଛାତ୍ର ବୃତ୍ତି ଯୋଜନାରେ ଅନେକ ପିଲା ଲାଭ ପାଉଛନ୍ତି ବୋଲି ମିଳିତ ଅଧିବେଶନରେ କହିଛନ୍ତି ରାଷ୍ଟ୍ରପତି । ଏହାଛଡ଼ା ବିକାଶ ପଥରେ ଆଗକୁ ବଢୁଛି ଜମ୍ମୁ-କଶ୍ମୀର । ଦେଶରେ ନକ୍ସଲବାଦ୍ ବି କମିଛି । ଦେଶରେ ଏକତା, ଅଖଣ୍ଡତା ବଜାୟ ରଖିବାକୁ ଉଦ୍ୟମ ଜାରି ରହିଛି । ସୀମାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରାଯାଇଥିଲା । ହେଲେ ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇ ନିଜ ସାମର୍ଥ୍ୟର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ।
ସେପଟେ କରୋନା ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତି ପାଇଁ ଦେଶରେ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚି ପାରିଛି। ଆଜି, ନୂତନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିବାରେ ଲାଗିଛି। ଏଭଳି କଠିନ ପରିସ୍ଥିତିରେ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ରେକର୍ଡ ଅର୍ଥନୀତିକ ପ୍ୟାକେଜ୍ ଘୋଷଣା ସହିତ ଦେଶରେ କେହି ଯେମିତି ଭୋକରେ ନରହିବେ ସେଥିପାଇଁ ଅଧିକ ଯତ୍ନବାନ ହୋଇଛି ।
ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା କାରଣରୁ ବିଶ୍ୱରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମକୁ ମନେ ପକାଇ ଦେଇଥିଲା ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କାହିଁକି ଗୁରୁତ୍ୱପୂର୍ଣ୍ଣ ? ରାମନାଥ କୋବିନ୍ଦ କହିଛନ୍ତି ଯେ ଆମ ପାଇଁ ଗର୍ବର ବିଷୟ ଯେ ଆଜି ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଚଳାଉଛି। ଏହି କାର୍ଯ୍ୟକ୍ରମର ଉଭୟ ଟିକା ଭାରତରେ ନିର୍ମିତ ହୋଇଛି। ଏହି ସଙ୍କଟ ସମୟରେ ଭାରତ ମାନବିକତା ପ୍ରତି ନିଜର ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ଦେଶକୁ ଲକ୍ଷ ଲକ୍ଷ ଡୋଜ କରୋନା ଟିକା ଯୋଗାଇ ଦେଇଛି।
ସେପଟେ ଦିଲ୍ଲୀରେ କୃଷକ ଆନ୍ଦୋଳନ ଚାଲିଥିବା ସମୟରେ ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କୃଷି ଆଇନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବ୍ୟାପକ ପରାମର୍ଶ ପରେ ସଂସଦ ତିନୋଟି ଗୁରୁତ୍ୱପୂର୍ଣ୍ଣ କୃଷି ସଂସ୍କାର, କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ବିଲ୍, କୃଷି ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଚୁକ୍ତିନାମା ବିଲ୍ ବିଲ୍ ପାସ୍ ହୋଇଛି। କିନ୍ତୁ ଏହା ପରେ ମୋ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି।

