ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଆସନ୍ତା ୧୯ ତାରିଖରୁ ପୁରୁଣା ସଂସଦ ଭବନ ବଦଳରେ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ । ସେହିପରି ଜାତି ଗଣନା, ମଣିପୁର ହିଂସା, ସାମ୍ପ୍ରଦାୟିକ ହିଂସା, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସଂସଦର ସ୍ବତନ୍ତ୍ର ଅଧିବେଶନର କାରଣ ସ୍ପଷ୍ଟ କରିବା ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ।

ସାଧାରଣତଃ ସଂସଦର ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସୁଥିବାବେଳେ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ଯକତା ପଡିଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଅଦିନିଆ ଅଧିବେଶନକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଥିବାବେଳେ ଏହି ଅଧିବେଶନର କାର୍ଯ୍ୟକ୍ରମ ନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ସରକାର । ଶେଷ ଥର ଲାଗି ଗତ 2017 ଜୁନ 30ରେ ଏକ ସ୍ବତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି ।