ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପ୍ରସଙ୍ଗ ; ଆଜି ବସିବ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ବୈଠକ
1 min read
ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଓ ଉତ୍ତରାଖଣ୍ଡ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗ । ଆଜି ବସିବ ପରିବହନ ସଂକ୍ରାନ୍ତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିର ବୈଠକ । ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠକରେ ବି ବିଭିନ୍ନ ରାଜ୍ୟ ଓ ଦିଲ୍ଲୀ-ଏନସିଆରରେ ଯାଇଥିବା ବିଭିନ୍ନ ଜାତୀୟ ରାଜପଥଗୁଡିକର ଜବରଦଖଲ ଓ ଟ୍ରାଫିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯିବ । ବିଶେଷ କରି ବିମାନ ଚଳାଚଳ ନିରାପତ୍ତା ପ୍ରସଙ୍ଗକୁ ବୈଠକରେ ଗୁରୁତ୍ବ ଦିଆଯିବ । ଏହି ବୈଠକରେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ବିଭାଗର ପଦସ୍ଥ ଅଧିକାରୀ ବି ସାମିଲ ହେବେ ।
ଅହମ୍ମଦାବାଦ ବିମାନ ଦୁର୍ଘଟଣା ଓ ଉତ୍ତରାଖଣ୍ଡ ହେଲିକପ୍ଟର କ୍ରାସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଥିବାବେଳେ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ହୋଇଛି । ବିମାନ ଓ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ବ୍ୟାବସାୟିକ ପାଇଲଟ ତଥା ସାଂସଦ ରାଜୀବ ପ୍ରତାପ ରୁଡୀ ବି ବୈଠକରେ ସମାଧାନର ସୂତ୍ର ଦେଇପାରନ୍ତି । ବାରମ୍ବାର ବିଭିନ୍ନ ବିମାନର ଚଳାଚଳ ବ୍ୟାହତ ହେବା, ଟେକନିକାଲ ସମସ୍ୟା ସୃଷ୍ଟି ହେବା, ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନର ବିଳମ୍ବ ବା ଯାତ୍ରା ରଦ୍ଦ ହେବା ସମସ୍ୟା ବଢୁଥିବାରୁ ଏହି ବୈଠକରେ ଏନେଇ ଆଲୋଚନା ହେବ ।