ସ୍ବପ୍ନରେ ଡରାଉଛି ଟ୍ରେନ ଦୁର୍ଘଟଣା, ଶୋଇ ପାରୁନାହାନ୍ତି ଆହତ ଯାତ୍ରୀ

1 min read

କଟକ: ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୦ ଦିନ ବିତିଯାଇଛି । ହେଲେ ଆଜି ବି କାଳ ସର୍ପ ପରି ଡରାଉଛି ସେହି କାଳ ରାତିର ଦୃଶ୍ୟ । ଏବେ ବି ଶାନ୍ତିରେ ଶୋଇ ପାରୁନାହାନ୍ତି ଆହତ ଯାତ୍ରୀ । ସ୍ବପ୍ନରେ ଦେଖାଯାଉଛି ଟ୍ରେନ ଟ୍ରାଜେଡିର ଭୟାବହ ଦୃଶ୍ୟ । ଆଖି ବନ୍ଦ କରିବାକୁ ବି ଡରୁଛନ୍ତି ଆହତ ଯାତ୍ରୀ । ଚିକିତ୍ସା ବେଡ ଉପରେ କରୁଛନ୍ତି ଚିତ୍କାର । ଟ୍ରେନ ଟ୍ରାଜେଡି ପରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ ଡିଜଅଡରର ଶିକାର ହୋଇଛନ୍ତି ଆହତ ।

ମନରୁ ଯାଉନି ସେ କାଳରାତ୍ରିର କରାଳ ରୂପ । କିଏ ହଠାତ୍ କାନ୍ଦୁଛି ତ କିଏ ପୂରା ଚୁପ୍ ହୋଇଯାଇଛି । ଆଉ କିଏ ଭୟଙ୍କର ସ୍ବପ୍ନ ଦେଖି ଚିତ୍କାର କରୁଛି । ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅନେକ ଯାତ୍ରୀଙ୍କ ମାନସିକ ସ୍ଥିତି ଏତେ ମାତ୍ରାରେ ପ୍ରଭାବିତ ହୋଇଛି ଯେ, ସେଦିନର ସେହି କାଳରାତିକୁ ଭୁଲି ପାରୁନାହାନ୍ତି ।

ଏସସିବିରେ ଚିକିତ୍ସିତ ହେଉଥିବା ଶତାଧିକ ଆହତଙ୍କଠାରୁ ପ୍ରାୟ ୪୦ଜଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସରୁ ସେମାନଙ୍କୁ ବାହାର କରିବାକୁ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କୁ କାଉନସେଲିଂ କରାଯାଉଛି । ଭୟାବହ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିଛି । ସେମାନଙ୍କ ମାନସିକ ସ୍ଥିତିକୁ ଦେଖି ହସ୍ପିଟାଲରେ ଥିବା ସମସ୍ତ ଆହତଙ୍କ କାଉନସେଲିଂ ଆରମ୍ଭ କରାଯାଇଥିବା କ୍ଲିନିକାଲ ସାଇକୋଲୋଜୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଯଶୋବନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ମନୋ-ଚିକିତ୍ସକ, ମନୋବିଜ୍ଞାନୀ ଓ ପରିବାରର ଜଣେ ଜଣେ ସଦସ୍ୟଙ୍କ ଉପସ୍ଥିତିରେ ଆହତଙ୍କୁ କାଉନସେଲିଂ କରାଯାଉଛି ।