ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ; ଷ୍ଟିଭ୍ ସ୍ମିଥ ହେଲେ ଉପ ଅଧିନାୟକ

1 min read

କାନବେରା: ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ହେଲେ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ । ଅଷ୍ଟ୍ରେଲିଆ ଟିମରେ ୪୭ତମ ଅଧିନାୟକ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଦ୍ରୁତ ବୋଲର ଭାବରେ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାର ସମ୍ଭାଳିବେ । ଏହା ପୂବର୍ରୁ ୧୯୫୬ରେ ରୟ ଲିଣ୍ଡଓ୍ବାଲ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକତ୍ବ କରିଥିଲେ । ଆସନ୍ତା ମାସରେ ହେବାକୁ ଥିବା ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ଦଳକୁ ଲିଡ୍ କରିବେ କମିନ୍ସ । ଏଥିସହ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଟିମର ଉପ ଅଧିନାୟକ ପଦ ମିଳିଛି ।

ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟରେ ଅଧିନାୟକ ପଦ ମିଳିବା ପରେ ସେ କହିଛନ୍ତି କି “ମୋତେ ଆସେସ୍ ସିରିଜ ପୂର୍ବରୁ ଅଧିନାୟକ କରିଥିବାରୁ ମୁଁ ସମ୍ମାନିତ ଅନୁଭବ କରୁଛି । ଆଶା କରୁଛି କି ମୁଁ ସେହିପରି ଦଳର ନେତୃତ୍ବ ନେବ ଯେପରି ବିଗତ କିଛି ବର୍ଷ ଧରି ଟିମ୍ ପେନ ଦଳକୁ ଆଗକୁ ନେଉଥିଲେ । ସେ ଆହୁରି କହିଛନ୍ତି କି ଷ୍ଟିଭ୍ ସ୍ମିଥ ଓ ମୋ ସହ ଦଳରେ ଆହୁରି ବରିଷ୍ଠ ଖେଳାଳି ଅଛନ୍ତି । କିଛି ଯୁବ ଖେଳାଳି ମଧ୍ୟ ଆସୁଛନ୍ତି ଯାହା ଦ୍ବାରା ଆମ ଟିମ୍ ଅଧିକ ମଜବୁତ ହୋଇପାରିବ ।

ଗତ ସପ୍ତାହରେ ଟିମ୍ ପେନ୍ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପ୍ୟାଟ୍ କମିନ୍ସଙ୍କୁ ମିଳିଛି ଅଧିନାୟକ ପଦ । ଅଧିନାୟକ ପଦ ଛାଡିବା ସହ ଏବେ କିଛି ଦିନ ପାଇଁ କ୍ରିକେଟରୁ ମଧ୍ୟ ବରତି ନେଇଛନ୍ତି ଟିମ୍ ପେନ୍ । କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ୍ ହୋକଲେ କହିଛନ୍ତି କି ଆମେ ଜାଣିଛୁ ଏହି ସମୟ ଟିମ୍ ପେନ୍ ଓ ତାଙ୍କ ପରିବାରଙ୍କ ପାଇଁ ବହୁତ କଠିନ ସମୟ । ଏହି ସମୟରେ ଆମେ ତାଙ୍କୁ ସମର୍ଥନ କରୁଛୁ ବୋଲି କହିଛନ୍ତି ନିକ୍ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ୍ ହୋକଲେ ।

 

Leave a Reply