ପଟ୍ଟାଙ୍ଗୀରେ କାହାକୁ ବାଛିବେ ଜନତା?

ନନ୍ଦିଘୋଷ ବ୍ୟୁରୋ: ବେଶ୍ ଚର୍ଚ୍ଚିତ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀ । ଏହି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଚଳିତ ନିର୍ବାଚନରେ ଏଠାରେ ହେଉଛି ତ୍ରିମୁଖୀ ଲଢ଼େଇ। ତେବେ କାହାର ହେବ ପଟ୍ଟାଙ୍ଗୀ ଆସନ ? କାହାକୁ ବାଛିବେ ଜନତା? ତାକୁ ନେଇ ଚାଲିଛି ଅଙ୍କକଷା।

ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା। ଏହି ନିର୍ବାଚନମଣ୍ଡଳୀ ସେମିଳିଗୁଡ଼, ପଟ୍ଟାଙ୍ଗୀ ଓ ନନ୍ଦପୁର ବ୍ଲକକୁ ନେଇ ଗଠିତ। ଏଠାରେ ଅଛନ୍ତି ୧ ଲକ୍ଷ ୮୭ ହଜାର ୧୫୧ ଭୋଟର । ପୁରୁଷ ଭୋଟର ୯୦ ହଜାର ୬୦୬, ମହିଳା ୯୬ ହଜାର ୫୩୮ ଏବଂ ଅନ୍ଯାନ୍ଯ ଭୋଟର ୭ ଜଣ । ପଟ୍ଟାଙ୍ଗୀରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ବିଜେପିରୁ ଚୈତନ୍ଯ ନନ୍ଦିବାଲି ଓ କଂଗ୍ରେସରୁ ରାମଚନ୍ଦ୍ର କାଡ଼ାମ ।  ସବୁ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି।

ଆଦିବାସୀଙ୍କ ପାଇଁ ସଂରକ୍ଷିତ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହାରୁ ୨୦୧୯ ମଧ୍ଯରେ ଅନୁଷ୍ଠିତ ୫ଟି ନିର୍ବାଚନରୁ ୪ ଥର ବିଜେଡି ବିଜୟ ଲାଭ କରିଛି । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ ୧୦ ହଜାର ୬୬୪ ଭୋଟ ବ୍ୟବଧାନରେ କଂଗ୍ରେସର ରାମଚନ୍ଦ୍ର କାଡ଼ାମଙ୍କୁ ପରାଜିତ କରିଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୀତମ ପାଢ଼ୀ ବିଜେତା ହୋଇଥିଲେ । ୪ ହଜାର ୨୫୫ ଖଣ୍ଡ ଭୋଟ ବ୍ଯବଧାନରେ ଜିତିଥିଲେ ପୀତମ । କଂଗ୍ରେସର ରାମଚନ୍ଦ୍ର କାଡ଼ାମ ହାରିଥିଲେ। ଚଳିତ ନିର୍ବାଚନରେ ବିକାଶ ହିଁ ପ୍ରମୁଖ ପ୍ରସଙ୍ଗ ହୋଇଛି ।

ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀରେ ରାଜ୍ଯ ସରକାରଙ୍କ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ଯ ହୋଇଛି । ଶିକ୍ଷା, ସ୍ଵାସ୍ଥ୍ଯ , ଗମନାଗମନଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହୋଇଛି ରୂପାନ୍ତରଣ । ଏହାକୁ ଭୋଟର ଗୁରୁତ୍ବ ଦେଉଛନ୍ତି ।