ଗାଁକୁ ଅପହଞ୍ଚ ମୌଳିକ ସୁବିଧା ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ଗାଁକୁ ଅପହଞ୍ଚ ମୌଳିକ ସୁବିଧା ସୁଯୋଗ । ପଟାଙ୍ଗୀ ବ୍ଳକ ଚନ୍ଦକା ପଞ୍ଚାୟତ କୋଦାବାଲସା ଗାଁକୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ପକ୍କା ରାସ୍ତା ।ଫଳରେ ନାହିଁ ନଥିବା ସମସ୍ଯାର ସମ୍ମୁଖୀନ ହେଉଛନ୍ତି ଲୋକେ । ଖାଲଖମା ପାହାଡି ରାସ୍ତାରେ ବିପଦଶଙ୍କୁଳ ଭାବେ ଯିବା ଆସିବା କରିବା ସହ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି । ସମସ୍ଯା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ପାହାଡି ରାସ୍ତାରେ ଯାତାୟତ କରୁଛନ୍ତି ଉପାନ୍ତ ଅଞ୍ଚଳ ଲୋକେ । ନିଦାବିଷ୍ଣୁ ପାଲଟିଛି ପ୍ରଶାସନ । ପକ୍କା ରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ଚନ୍ଦକା ପଞ୍ଚାୟତର କୋଦାଵାଲସା ଗାଁ ଲୋକେ । ଆବଡାଖାବଡା ରାସ୍ତାରେ ଚାଲିଯିବା ମୁସ୍କିଲ ହୋଇ ପଡୁଥିବା ବେଳେ ଜରୁରୀ କାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୁଇ କିଲୋମିଟର ବୋହି ନେବାକୁ ପଡୁଛି । ବର୍ଷା ଦିନେ ଲୋକଙ୍କ ସମସ୍ଯା ଦ୍ଵିଗୁଣିତ ହୋଇଯାଏ ।

ଗାଁକୁ ରାସ୍ତା ନଥିବାରୁ ରାସନ ଚାଉଳ ହେଉ କି ଭତ୍ତା ପାଇଁ ଯିବା ବେଳେ ବୟସ୍କ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦାନା ବାନ୍ଧୁଛି । ଅନ୍ଯପଟେ ଯେପରି ଶୀଘ୍ର ରାସ୍ତା ନିର୍ମାଣ ହେବ ତାର ବ୍ଯବସ୍ଥା କରିବୁ ବୋଲି କହିଛନ୍ତି ବ୍ଲକ ଅଧ୍ଯକ୍ଷା ।