spot_img

Latest Posts

ପଞ୍ଜାବ ପଟିଆଲା ରାଜୀବ ଗାନ୍ଧି ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନ

ପଟିଆଲା : ପଞ୍ଜାବ ପଟିଆଲା ସ୍ଥିତ ରାଜୀବ ଗାନ୍ଧି ‘ନ୍ଯାସନାଲ ୟୁନିଭର୍ସିଟି ଅଫ ଲ’ ବା ଆରଜିଏନୟୁଏଲରେ ଥମୁନି ଆନ୍ଦୋଳନ। କୁଳପତିଙ୍କ ଇସ୍ତଫା ଦାବିରେ ଗତ ୫ଦିନ ଧରି ଚାଲିଛି ଛାତ୍ରୀ ଆନ୍ଦୋଳନ। ଛାତ୍ରୀନିବାସରେ କୁଳପତିଙ୍କ ପ୍ରବେଶକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଛାତ୍ରୀ। ହଷ୍ଟେଲରେ ପ୍ରବେଶ କରି ଛାତ୍ରୀଙ୍କ ପ୍ରାଇଭେସୀ କ୍ଷୁର୍ଣ୍ଣ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗକୁ କୁଳପତି ଖଣ୍ଡନ କରିଥିଲେ ବି ଦବି ନାହାନ୍ତି ଆନ୍ଦୋଳନକାରୀ। ଛାତ୍ରଛାତ୍ରୀମାନେ ଆଡମିନିଷ୍ଟ୍ରେଟିଭ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଶ୍ବବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। କୁଳପତିଙ୍କ ଇସ୍ତଫା ଦାବି ଜୋର ଧରିଛି ।

ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହାକୁ ଏକ ଲଜ୍ଜାଜନକ ଘଟଣା କହିଛନ୍ତି। ଘଟଣାରେ ଜାତୀୟ ମହିଳା କମିଶନର ହସ୍ତକ୍ଷେପ ଦାବି କରିଛନ୍ତି ପ୍ରିୟଙ୍କା। କିଛିଦିନ ତଳେ କୁଳପତି ଜୟ ଶଙ୍କର ସିଂ ଅଚାନକ ଛାତ୍ରୀନିବାସରେ ପ୍ରବେଶ କରି ଯାଞ୍ଚ କରିଥିଲେ। ଏପରିକି ଛାତ୍ରୀଙ୍କ ପୋଷାକ ପରିଧାନ ସମ୍ପର୍କରେ ପ୍ରଶ୍ନ କରିଥିବା ଅଭିଯୋଗ ହୋଇଥିଲା। କୁଳପତି ହଷ୍ଟେଲରେ ପ୍ରବେଶ କରିବା ବେଳେ ତାଙ୍କ ସହ ହଷ୍ଟେଲ ୱାର୍ଡେନ ଓ କୌଣସି ମହିଳା ଗାର୍ଡ ସାମିଲ ନଥିଲେ। ସେପଟେ କୁଳପତି କହିଛନ୍ତି- ଛାତ୍ରୀମାନେ ସେମାନଙ୍କ ସମସ୍ଯା ନେଇ ଅଭିଯୋଗ କରିବାରୁ ସେ ଘଟଣାର ଯାଞ୍ଚ ଲାଗି ହଷ୍ଟେଲ ଭିତରକୁ ଯାଇଥିଲେ। ଛାତ୍ରୀମାନେ ସେମାନଙ୍କ ରୁମରେ ଆଲମିରା ଓ ଅଦରକାରୀ ଜିନିଷ ରଖିଥିବା ଅଭିଯୋଗ ହୋଇଥିଲା। ତାଙ୍କ ସହ ମହିଳା ଚିଫ ୱାର୍ଡେନ ଓ ମହିଳା ସିକ୍ଯୁରିଟି ଗାର୍ଡ ବି ଥିଲେ ବୋଲି କହିଛନ୍ତି କୁଳପତି।

ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ଯ ବିଚାରପତି ତଥା ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କୁ ହଷ୍ଟେଲ ସମସ୍ଯା ପ୍ରସଙ୍ଗରେ ରିପୋର୍ଟ ଦିଆଯାଇଛି ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ପଞ୍ଜାବ ମହିଳା କମିଶନ ଅଧ୍ୟକ୍ଷା ରାଜ ଲାଲି ଗିଲ୍ ମଧ୍ଯ ଆନ୍ଦୋଳନରତ ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏକ କମିଟି ଗଠନ କରାଯିବ ବୋଲି କହିଛନ୍ତି ଗିଲ୍ । ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବେଇନ୍ସ ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।

Latest Posts

Don't Miss