ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ରୋଗୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ହସ୍ପିଟାଲରେ ଅଘଟଣ । ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନରସିଂହପୁର ଗାଁର ମିନତୀ ପରିଡ଼ା । ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।

ମିଳିଥିବା ସୂଚନା ଅନୁସାରେ, ମିନତୀଙ୍କୁ ସ୍ବାସ୍ଥ୍ୟ ଠିକ୍ ନଥିବାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ । ଏହାପରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଓ୍ବାର୍ଡକୁ ତାଙ୍କୁ ନିଆଯାଉଥିଲା । ହେଲେ ଏହି ସମୟରେ ଲିଫ୍ଟର ସେନସର କାମ ନକରିବାକରୁ ତାହା ଉପରକୁ ଉଠି ଯାଇଥିଲା । ଫଳରେ ଲିଫ୍ଟରେ ଚାପି ହୋଇ ମିନତୀଙ୍କ ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ସାହାୟତା ରାଶି ଘୋଷଣା କରିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରୁ ଏହି ରାଶି ଦିଆଯିବ ।  ଘଟଣାର ଯେପରି ପୁନରାବୃତ୍ତି ନହେବ ସେନେଇ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଏକ ଟିମ ଗଠନ କାରାଯାଇ ଘଟଣାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।