କରୋନା ସଂକ୍ରମିତଙ୍କ ଶବକୁ କିଏ ଭସାଉଛି ଗଙ୍ଗା ନଦୀରେ, ଆଗକୁ ପାଣିରୁ ମଧ୍ୟ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ଶବ ସତ୍କାର ପାଇଁ ଯଦି ମଶାଣି ନମିଳେ। ତେବେ ମଣିଷ ମୃତ ଶରୀରକୁ ନେଇ କୁଆଡ଼େ ଯିବ। ଯାହାବି ହେଲେ ଶବ ସତ୍କାର ତ କରିବାକୁ ହିଁ ପଡ଼ିବ। ସେଥିପାଇଁ ଗଙ୍ଗା ନଦୀରେ ଶବ ଭସାଯାଉଥିବା ସନ୍ଦେହ କରାଯାଉଛି। ଏବେ ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସୁଥିବାର ଦେଖିବାକୁ ମିଳୁଛି। ବିହାରର ବକ୍ସର ଜିଲ୍ଲାରେ ଆଜି ସକାଳେ ଗଙ୍ଗା ନଦୀରେ ଅନେକ ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହି ଶବଗୁଡ଼ିକ ବହୁତ ଦିନରୁ ନଦୀରେ ଭସାଇ ଦିଆଯାଇଛି। କାରଣ ଶବ ଗୁଡ଼ିକ ଫୁଲିଯାଇଥିବା ବେଳେ ପଚିସଢ଼ି ଯାଇଥିଲା। ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ଦେଶରେ କରୋନା ସଂକ୍ରମଣ ଭୟାଭହତା। ବିହାର ଏବଂ ଉତ୍ତରପ୍ରଦେଶକୁ ଲାଗିଥିବା ଚୌସା ସହରର ଗଙ୍ଗା କୂଳରେ ପ୍ରାୟ ୧୨ରୁ ଅଧିକ ଶବ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ସକାଳୁ ଲୋକେ ଉଠିବା ପରେ ଦେଖିଥିଲେ ଏଭଳି ଭୟାନକ ଦୃଶ୍ୟ। ସ୍ଥାନୀୟ ପ୍ରଶାସନ କହିବା ଅନୁଯାୟି ଏହି ମୃତଦେହ ଉତ୍ତରପ୍ରଦେଶରୁ ନଦୀର ପ୍ରବାହରେ ଆସିଛି। ଏବଂ ସେହି ସମସ୍ତ ଶବ ହେଉଛି କରୋନା ରୋଗୀଙ୍କର। ପ୍ରଶାସନ ଆହୁରି ମଧ୍ୟ କହିଛି ଯେ, ପରିବାର ଲୋକଙ୍କୁ ଶବ ଦାହ କରିବା ପାଇଁ ସ୍ମଶାନ ମିଳିଲାନି ବୋଲି ସେମାନେ ସମସ୍ତେ ଗଙ୍ଗା ନଦୀରେ ଭସାଇ ଦେଇଛନ୍ତି। ତେବେ ଯଦି ଏହି ସବୁ ଶବ ଉତ୍ତରପ୍ରଦେଶରୁ ଆସିଛି ତେବେ କେଉଁ ସହରରୁ ଆସିଛି ତାକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି ।

ଅଧିକାରୀ ଅଶୋକ କୁମାର କହିଛନ୍ତିଯେ ଚୌସା ଜିଲ୍ଲାର ମହାଦେବ ଘାଟରେ ପ୍ରାୟ ୪୦ରୁ ୫୦ ଶବ ପାଣିରେ ଭାସୁଥିବା ଦେଖାଯାଇଥିଲା। ଅଶୋକ କୁମାରଙ୍କ ଅନୁଯାୟୀ ଏହି ମୃତଦେହ ନଦୀରେ ପକାଇ ଦିଆଯାଇଥିବା ଜଣାପଡିଛି। ଏଠାରେ ଆହୁରି ଅନେକ ଶବ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ଏଭଳି ଗଙ୍ଗା ନଦୀରୁ ଶବ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି। କୋଭିଡ ସଂକ୍ରମଣ ପାଣିରେ ବ୍ୟାପିପାରେ ବୋଲି ସେମାନେ ଭୟ କରୁଛନ୍ତି ।

Leave a Reply