ତେଜସ୍ୱୀ ଯାଦବଙ୍କ ଦାବି,ନୂଆ ଭୋଟର ଲିଷ୍ଟରେ ମୋ ନାମ ନାହିଁ

1 min read

ନନ୍ଦିଘୋଷ ବ୍ୟୁରୋ: ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟର ଲିଷ୍ଟକୁ ନେଇ ବିବାଦ ଥମିବାର ନାଁ ନେଉନି । ନିର୍ବାଚନ କମିଶନ ଭୋଟର ଲିଷ୍ଟର ଡ୍ରାଫ ଜାରି କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆପତ୍ତି ଉଠାଇଛନ୍ତି । ଭୋଟର ଲିଷ୍ଟରୁ ତାଙ୍କ ନାଁ କଟି ଯାଇଥିବା ତେଜସ୍ବୀ କହିଛନ୍ତି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜେ ତେଜସ୍ବୀ ଏହା କହିଛନ୍ତି । ସେ କହିଛନ୍ତି ବିଏଲଓ ଆସି ମୋର ଯାଞ୍ଚ କରିଥିଲେ । ଏହାପରେ ବି ଭୋଟର ଲିଷ୍ଟରେ ମୋ ନାଁ ନାହିଁ । ଏହାକୁ ନେଇ ସେ ଏକ ଭିଡିଓ ଦେଖାଇଛନ୍ତି । ପତ୍ନୀଙ୍କ ଭୋଟର ପ୍ରମାଣପତ୍ରକୁ ନେଇ ପଚରାଯିବାରେ ସେ କହିଛନ୍ତି, ଯେତେବେଳେ ମୋର ନାଁ ନାହିଁ, ତାଙ୍କ ନାଁ କେମିତି ଆସିବ ।

ଏହାକୁ ନେଇ ତେଜସ୍ବୀ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ରତି ବିଧାନସଭା କ୍ଷେତ୍ରରୁ ୨୦ରୁ ୩୦ ହଜାର ଭୋଟରଙ୍କ ନାଁ କଟାଯାଇଛି । ପ୍ରାୟ ୬୫ ଲକ୍ଷ ଭୋଟର ଅର୍ଥାତ ୮.୫ ପ୍ରତିଶତଙ୍କ ନାଁ ଲିଷ୍ଟରୁ କାଟି ଦିଆଯାଇଛି । ନିର୍ବାଚନ କମିଶନ ଯେତେବେଳେ ବିଜ୍ଞପ୍ତି ଜାରି କରୁଥିଲେ, ସେଥିରେ କେତେ ଶିଫ୍ଟ ହୋଇଛି, କେତେ ଲୋକ ମୃତ, କେତେ ଲୋକଙ୍କ ଦୁଇଥର ନାଁ ରହିଛି ଉଲ୍ଲେଖ କରୁଥିଲେ । ହେଲେ ଆମକୁ ଯେଉଁ ତାଲିକା ଦିଆଯାଇଛି ସେଥିରେ ନିର୍ବାଚନ କମିଶନ ଚାଲାକି ଦେଖାଇ କୌଣସି ଭୋଟରଙ୍କ ଠିକଣା ଦେଇନାହାନ୍ତି । ଏପରିକି ବୁଥ ନମ୍ବର, EPIC ନମ୍ବର ପର୍ଯ୍ୟନ୍ତ ଦିଆଯାଇନି । ଯେମିତି କାହାର ନାଁ ଲିଷ୍ଟରୁ କଟିଛି ଆମେ ଜାଣି ପାରିବୁ ନାହିଁ ।

ନୂଆ ଡ୍ରାଫ୍ଟରେ ମୋ ନାଁ ବି ନାହିଁ । IPIC ନମ୍ବର ପକାଇଲେ କୌଣସି ରେକର୍ଡ ଦେଖାଉନାହିଁ । ମୁଁ SIRରେ ଫର୍ମ ଭରିଥିଲି । ଏବେ ବଡ଼ ପ୍ରଶ୍ନ ହେଲା ମୁଁ ନିର୍ବାଚନ କେମିତି ଲଢ଼ିବି ।

ଆଗକୁ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଆପଣ ସ୍ଥିର କରିସାରିଛନ୍ତି କିଏ ସରକାର ଗଢ଼ିବ । ତେବେ ନିର୍ବାଚନ କାହିଁକି କରାଯାଉଛି । ବିହାରରେ ପ୍ରତିବର୍ଷ ୩ ଲକ୍ଷ ଶ୍ରମିକ କାମ ପାଇଁ ବାହାରକୁ ଯାଇଥାନ୍ତି । ସେମାନଙ୍କ ଫିଜିକାଲ ଭେରିଫିକେଶନ ହୋଇଛି କି ? ନାଁ କାଟିବା ପୂର୍ବରୁ ମତଦାତାଙ୍କୁ ଏହାର ସୂଚନା ଦିଆଯାଇଥିଲା କି ନାହିଁ ? ୬୫ ଲକ୍ଷ ମତଦାତାଙ୍କୁ ନୋଟିସ୍ ଦିଆଯାଇଥିଲା କି ? ସେମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି କି ନାହିଁ ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି । ଏହାସହ ନିର୍ବାଚନ ଆୟୋଗ ଟାର୍ଗେଟେଡ କାମ କରୁଛନ୍ତି ଓ ତଥ୍ୟ ଲୁଚାଉଛନ୍ତି ।