spot_img

Latest Posts

ପୁଣି ଆରମ୍ଭ ହେଲା ଚୌକି ପାଇଁ ଲଢେଇ ! ବିଭୀଷଣ ମନ୍ତବ୍ୟ ନେଇ ଚକ୍ରବ୍ୟୂହରେ ପିସିସି ସଭାପତି, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଲେ ମୋକିମ

ପୁଣି ଆରମ୍ଭ ହେଲା ଚୌକି ପାଇଁ ଲଢେଇ ! ବିଭୀଷଣ ମନ୍ତବ୍ୟ ନେଇ ଚକ୍ରବ୍ୟୂହରେ ପିସିସି ସଭାପତି, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଲେ ମୋକିମ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମହଙ୍ଗା ପଡିବ ବିଭୀଷଣ ମନ୍ତବ୍ୟ । ଖୋଦ ପିସିସି ସଭାପତି ବିଭୀଷଣ ମନ୍ତବ୍ୟ ଦେବା ପରେ କଂଗ୍ରେସରେ କୁହୁଳୁ ଥିବା ଅସନ୍ତୋଷର ନିଆଁ ଉଗ୍ରରୂପ ନେବାକୁ ଯାଉଛି । ପୂର୍ବତନ ବିଧାୟକ ତଥା ଏଆଇସିସି ସଦସ୍ୟ ମହମ୍ମଦ ମୋକିମ ଏହାକୁ ବିଶୃଙ୍ଖଳା ଆଖ୍ୟା ଦେଇ ଶୃଙ୍ଖଳା କମିଟିର ଦ୍ବାରସ୍ଥ ହୋଇଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ ।

ନୂଆପଡା ପରାଜୟ ପରେ କଂଗ୍ରେସ ସଂଗଠନରେ ବିଦ୍ରୋହର ନିଆଁ । ପରାଜୟ ପାଇଁ କିଏ ଦାୟୀ ତାହାକୁ ନେଇ ନାନା ଅଭିଯୋଗ ନାନା ମତ । କଂଗ୍ରେସ ନେତାଙ୍କ ମଧ୍ୟରେ କିଏ ବିଭୀଷଣ ତାକୁ ନେଇ ୫ ଦିନ ହେବ ଜୋରଦାର ହୋଇଛି ବାକଯୁଦ୍ଧ । କଥା ଏବେ କାର୍ଯ୍ୟାନୁଷ୍ଠାନ ଆଡ଼କୁ ଗଲାଣି ।  ଯାହା ପୂର୍ବତନ ବିଧାୟକ ତଥା ଏଆଇସିସି ସଦସ୍ୟ ମହମ୍ମଦ ମୋକିମଙ୍କ ଚିଠି ପ୍ରମାଣିତ କରୁଛି । ପିସିସି ସଭାପତି ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ମୋକିମ । ତାଙ୍କ ଅଭିଯୋଗ ହେଉଛି, ନୂଆପଡା ପରାଜୟ ପରେ ପିସିସି ସଭାପତି ପରାଜୟ ଲାଗି ନୈତିକତା ନନେଇ ତାଙ୍କ ବିରୋଧରେ ଆକ୍ଷେପ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ କୁମାର ପାଢୀଙ୍କୁ ଚିଠି ଲେଖି ମୋକିମ ଅଭିଯୋଗ କରିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ପିସିସି ସଭାପତି ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ କଂଗ୍ରେସର ଇତିହାସରେ ଏହା କେବେ ଘଟି ନଥିଲା । ପିସିସି ସଭାପତି ଗଣମାଧ୍ୟମରେ କାହା ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିବା ଘଟଣା ପ୍ରଥମ । ପିସିସି ସଭାପତି ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ମୋକିମ ଶୃଙ୍ଖଳା କମିଟିକୁ ଅବଗତ କରାଇଛନ୍ତି । ସେପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସବୁ ଦଳରେ ବିଭୀଷଣ ଅଛନ୍ତି, ଆମ ଦଳରେ ଥିବେ ବୋଲି ମୁଁ କହିଥିଲି । କଟକରେ ହିଂସା କାରଣରୁ ମହମ୍ମଦ ମୋକିମକୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା ବୋଲି ପିସିସି ସଭାପତି କହିଛନ୍ତି ।

ଭକ୍ତ-ମୋକିମ ବିବାଦରେ ଦଳର ବରିଷ୍ଠ ନେତାମାନେ ସିଧାସଳଖ ନହଲେ ବି ପରୋକ୍ଷରେ ଭକ୍ତଙ୍କୁ ତେରେଛା ବାଣ ମାରିଛନ୍ତି । ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି, ଯିଏ ଯେତେ ବଡ ନେତା ହେଉନା କାହିଁକି ଶୃଙ୍ଖଳା ଭଙ୍ଗ କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଦଳର ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଚିଠି ନେଇ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ସହ ଆଲୋଚନା କରିବି । ବିଭୀଷଣ ମନ୍ତବ୍ୟ ପିସିସି ସଭାପତି କାହିଁକି କହିଛନ୍ତି ତାହା ସେ ଜାଣିଥିବେ । ନୂଆପଡାରେ କିଛି ନେତା ବିଭୀଷଣ ଭୂମିକା ନିଭାଇଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ଅମର ପ୍ରଧାନ ।

କିଛି ମାସର ନିରବତା ପରେ କଂଗ୍ରେସରେ ପୁଣି ଆରମ୍ଭ ହୋଇଛି ଚୌକି ପାଇଁ ଲଢେଇ । ଏହାର ମୂଳଦୂଆ ନୂଆପଡା ପରାଜୟ ପରେ ସାମ୍ନାକୁ ଆସିଛି । ତେବେ ଭକ୍ତ ଓ ମୋକିମଙ୍କ କଳି ଆଗକୁ କଂଗ୍ରେସରେ କି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss