ସଂସଦରେ ବିବୃତ୍ତି ରଖିଲେ ମୋଦି, ବିରୋଧୀଙ୍କୁ ଟାର୍ଗେଟ କରି ମଣିପୁର କଥା ଶେଷରେ କହିଲେ

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅନାସ୍ଥା ପ୍ରସ୍ତାବ ସରକାରଙ୍କ ବିରୋଧରେ ନୁହେଁ, ଏହା ବିରୋଧୀଙ୍କ ଫ୍ଲୋର ଟେଷ୍ଟ । ୨୦୧୮ରେ ମଧ୍ୟ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସବୁ ଫେଲ ମାରିଲେ । ୨୦୧୯ରେ ଆହୁରି ମଜବୁତ ହୋଇ ଏନଡିଏ ସରକାର ଆସିଲା । ଏବେ ମଧ୍ୟ ସମାନ ସ୍ଥିତି ହେବ । ୨୦୨୪ରେ ବିଜେପି ଆହୁରି ମଜବୁତ ହେବ । ଦେଶରେ ମାହୋଲ ଭଲ ଥିବା ବେଳେ ବିରୋଧୀ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।

ଯୁବପୀଢି ଏବେ ପ୍ରଚୁର ମାତ୍ରାରେ ଷ୍ଟାର୍ଟଅପ ଆଡକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଦେଶକୁ ବିଦେଶୀ ନିବେଶ ଆସୁଛି । ଗରିବ ମନରେ ସ୍ବପ୍ନ ପୂରଣ ପାଇଁ ସାହସ ଆସିଛି । କିନ୍ତୁ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣି ଲୋକଙ୍କ ଆତ୍ମବିଶ୍ବାସକୁ ଭାଙ୍ଗିଛନ୍ତି । ଦେଶରେ ୫ ବର୍ଷରେ ସାଢେ ୧୩ କୋଟି ଲୋକ ଗରିବ ରେଖା ଉପରକୁ ଉଠିଛନ୍ତି । ଅତିଗରିବ ଲୋକଙ୍କର ମଧ୍ୟ ଏବେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ରିଫର୍ମ, ଟାନ୍ସଫର୍ମ, ପରଫର୍ମକୁ ସବୁବେଳେ ଗୁରୁତ୍ବ ଦିଆଯାଇଛି ।

ଆୟୁର୍ବେଦ ଓ ଯୋଗକୁ ଅଧିକ ଗୁରୁତ୍ବ ଦିଆଯାଉଛି । ବିରୋଧୀ ଯେତେ ବିଜେପିକୁ ବିରୋଧ କରିବେ ସେତେ ଆହୁରି ଅଧିକ ଭୋଟରେ ବିଜୟ ଲାଭ କରିବ । ଆସନ୍ତା ନିର୍ବାଚନରେ ବିଜେପି ରେକର୍ଡ ବିଜୟ ହାସଲ କରିବ । ଦେଶର ଆର୍ଥିକ ବ୍ୟବସ୍ଥା ବିଶ୍ବର ତୃତୀୟ ନମ୍ବରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିରୋଧୀଙ୍କୁ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାନାହିଁ । ଦେଶର ପରାକ୍ରମ ବିଷୟରେ ଜଣାନାହିଁ । ୧୪୦ କୋଟି ଲୋକଙ୍କ ପରିଶ୍ରମ ପାଇଁ ଦେଶ ଆଜି ବିଶ୍ବରେ ପ୍ରଶଂସନୀୟ । କିନ୍ତୁ ବିରୋଧୀଙ୍କର ଭାରତ ଉପରେ ବିଶ୍ବାସ ନାହିଁ ।

ବିବୃତି ଆରମ୍ଭ କରିବା ପରଠୁ କଂଗ୍ରେସକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ଅନେକ ରାଜ୍ୟରେ ଲୋକେ କଂଗ୍ରେସରେ ଆସ୍ଥା ନଥିବା କହି ନିର୍ବାଚନରେ ଜିତାଉନାହାନ୍ତି । କିଛି ଦିନ ତଳେ ୟୁପିଏକୁ ଭାଙ୍ଗି ନୂଆ ମେଣ୍ଟ ଇଣ୍ଡିଆ କରିବାକୁ ନେଇ ମଧ୍ୟ ମୋଦି ତାସଲ୍ୟ କରିଥିଲେ । ଦେଶର ନାଁ ଯୋଡି ମହାମେଣ୍ଟ ଇଣ୍ଡିଆ କଲେ ବିରୋଧୀ ଭାବିଛନ୍ତି ତାଙ୍କୁ ସହାନୁଭୁତି ମିଳିବ । ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଚାଷୀଙ୍କୁ ଭେଟିବାକୁ ନେଇ ଟାର୍ଗେଟ କରିଥିଲେ ମୋଦି । ତେବେ ମଣିପୁରରେ ଅଦାଲତ ନିଷ୍ପତ୍ତି ଯୋଗୁଁ ହିଂସା ବଡ଼ ହୋଇଥିଲା । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସମସ୍ତ ଉତ୍ତର ଦେଇଛନ୍ତି । ମଣିପୁରରେ ମହିଳାଙ୍କ ପ୍ରତି ନିର୍ଯାତନା ହୋଇଛି । ଏଥିପାଇଁ ଦୋଷୀଙ୍କୁ ଦଣ୍ଡ ମିଳିବ । ଶାନ୍ତି ପାଇଁ ପ୍ରୟାସ କରାଯାଉଛି । ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଦେଢ ଘଣ୍ଟାରୁ ଅଧିକ ବିବୃତି ରଖିବା ପରେ ବି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କିଛି ନକହିବାରୁ ବିରୋଧୀ ଗୃହ ତ୍ୟାଗ କରିଥିଲେ । ବିରୋଧୀ କକ୍ଷତ୍ୟାଗ କରିବା ପରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ କହିଥିଲେ ।