କୂଳ ଖାଉଛି ନାଗାବଳୀ, ଖସୁଛି ମାଟି ଅତଡ଼ା: ଏବେ ଆତଙ୍କିତ ଅବସ୍ଥାରେ ନଈକୂଳିଆ

କୂଳ ଖାଉଛି ନାଗାବଳୀ । ଖସୁଛି ମାଟି ଅତଡ଼ା । ଏବେ ଆତଙ୍କିତ ଅବସ୍ଥାରେ ନଈକୂଳିଆ । ରାୟଗଡା ଜିଲ୍ଲା ସଦର ବ୍ଲକର ମାରିଗୁଡା, ଜଗନ୍ନାଥପୁର, ବେଡ଼େଲି, ଗୁସେଇଁକଣ୍ଟୁଆ ଓ ବେହେରାଗୁଡ଼ା ପରି ୧୦ ଖଣ୍ଡ ଗ୍ରାମବାସୀ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଲଗାଣ ବର୍ଷା ହେଲେ ନାଗାବଳୀ ନଦୀ ଫୁଲୁଥିବା ବେଳେ କୂଳ ଖାଇଖାଇ ଯାଉଛି । ବନ୍ଯା ଜଳ ଗାଁ ଭିତରେ ପଶି ଧନ ଜୀବନ ନଷ୍ଟ କରୁଥିବା ବେଳେ ଅନେକ ଫସଲ କ୍ଷେତ ନଷ୍ଟ ହୋଇଗଲାଣି । ହେଲେ ଏସବୁ ବିଷୟରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
୨୦୧୭ ମସିହାରେ ନାଗାବଳୀ ନଦୀ ବନ୍ୟା ଜଳ ରାତିରେ ଜଗନ୍ନାଥପୁର ଗାଁରେ ପ୍ରବେଶ କରିଥିଲା । ଆଉ ଲକ୍ଷାଧିକ ଟଙ୍କାର ସଂମ୍ପତ୍ତି ନଷ୍ଟ କରିଥିଲା । ଯାହାକୁ ନେଇ ପ୍ରତିବର୍ଷ ବର୍ଷା ଦିନେ ଆଶଙ୍କାରେ କାଳ କାଟୁଛନ୍ତି ଲୋକେ । ତେବେ କଲ୍ୟାଣସିଂହପୁର ବ୍ଲକରୁ ରାୟଗଡ଼ା ବ୍ଲକର କେରେଡ଼ା ମଧ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟରେ ଆଡ଼ିବନ୍ଧ ନିର୍ମାଣ କରାଯାଉଛି । ହେଲେ ନିର୍ମାଣ କାମ ବିଳମ୍ବ ହେଉଥିବାରୁ ଲୋକେ ଏବେବି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଜିଲ୍ଲାପ୍ରଶାସନ ନାଗାବଳୀ ନଦୀରେ ଶୀଘ୍ର ଆଡ଼ିବନ୍ଧ ନିର୍ମାଣ ଶେଷ କଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା ।