ଶୁଣିଲାନି ପ୍ରଶାସନ: ନିଜସ୍ଵ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଲୋକେ

ଶୁଣୁନି ପ୍ରଶାସନ । ନିଜସ୍ଵ ଉଦ୍ୟମରେ କାଠପୋଲ ନିର୍ମାଣ କରୁଛନ୍ତି ଲୋକେ । ପ୍ରତିବର୍ଷ ଲୋକେ ଏଭଳି ସଂଘର୍ଷ କରୁଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର କୁଚେଣ୍ଡି ନଦୀ ଉପରେ ନାହିଁ ସ୍ଥାୟୀ ପୋଲ । ଫଳରେ ଗ୍ରାମବାସୀ ମିଶି ନିଜସ୍ଵ ଉଦ୍ୟମରେ କାଠପୋଲ ନିର୍ମାଣ କରୁଛନ୍ତି ହେଲେ ବର୍ଷା ଦିନେ ତାହା ଭାସିଯାଉଛି । ଯାହାଫଳରେ ଲୁଇସିଂ ପଞ୍ଚାୟତରେ ରହୁଥିବା ୨ ହଜାରରୁ ଉର୍ଦ୍ଧ୍ଵ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାର, ହାଟ, ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଚଳିତ ଥର ଲଗାଣ ବର୍ଷାରେ କୁଚେଣ୍ଡି ନଦୀ ଉପରେ ଥିବା କାଠପୋଲ ଧୋଇ ଯାଇଥିଲା । ଲୋକେ ସମସ୍ୟା ସଂପର୍କରେ ଅନେକ ଥର ପ୍ରଶାସନ ସମେତ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବାଧ୍ଯ ହୋଇ ତଳ ଡାଙ୍ଗାଣାମ, ଉପର ଡାଙ୍ଗାଣାମ, ଶାଗଜଲା, ପାନପଦର, କଟଡି ସିରା, ବାଗ ନୁରୀ, ଟୁକୁ ଭଳି ୧୧ ରୁ ଉର୍ଦ୍ଧ୍ଵ ଗାଁ ଲୋକେ ମିଶି ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । କେବେ କୁଚେଣ୍ଡି ନଦୀ ଉପରେ ବ୍ରିଜ ନିର୍ମାଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।