ବିଜେପି ସରକାରରେ ବଢିଛି ନାରୀ ନିର୍ଯାତନା: ଅସୁରକ୍ଷିତ ଜନତା, ବଢୁଛି ଜନ ଅସନ୍ତୋଷ

ଭୁବନେଶ୍ବର: ତେର ମାସରେ ବିଜେପି ସରକାର । ବଢିଛି ନାରୀ ନିର୍ଯାତନା, ଅସୁରକ୍ଷିତ ଜନତା । ନ୍ୟାୟରୁ ବଂଚିତ ଚାଷୀ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ । ବଢୁଛି ଜନ ଅସନ୍ତୋଷ ରାସ୍ତାରେ ବିରୋଧୀଙ୍କ ଗର୍ଜନ । ଏମିତି କୋଉ ଦିନ ନାହିଁ ଯେଉଁଦିନ ନାରୀ ନିର୍ଯାତନାର ଖବର ପଦାକୁ ଆସିନାହିଁ । ଗତ ୧୩ ମାସ ମଧ୍ୟରେ ଶାନ୍ତିପ୍ରିୟ ଓଡିଶାରେ ଅଶାନ୍ତିର ବାତାବରଣ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଅସୁରକ୍ଷିତ ଶିଶୁ ଓ ମହିଳା । ଶାସନ ବ୍ୟବସ୍ଥା ଢିଲା ଯୋଗୁଁ ରାଜ୍ୟରେ ବଢିବଢି ଚାଲିଛି ଅରାଜକତା । ବିଜେପି ସରକାର ଆସିବା ପରେ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଠାରୁ ଆରମ୍ଭ କରି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ନ୍ୟାୟ ପାଇଁ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବା ଘଟଣା ଓଡିଶା ଶାସନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପରି ସ୍ଥିତିରେ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥା କେହି ଶୁଣୁନାହାନ୍ତି । ଦିନକୁ ୧୫ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି । ବାଲେଶ୍ବର ପୀଡି଼ତା ସମସ୍ତଙ୍କୁ ଗୁହାରୀ କରିବା ପରେ ବି ନ୍ୟାୟ ମିଳିଲାନି । ସରକାରରେ ଶାସନ ବ୍ୟବସ୍ଥା କେତେ ଫଳପ୍ରଦ ତାହା ଏହି କେସରୁ ଜଣାପଡିଯାଇଛି । ବଡ ଠାକୁର ପଡିଯିବା ସହ ବିଭିନ୍ନ ଘଟଣାରେ ସରକାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଓଡିଶାରେ ସରକାର ଅଛି ବୋଲି କେହି ଅନୁଭବ କରିପାରୁନାହାନ୍ତି ।

ବିଜେପି ସରକାର ଗଠନରେ ରାଜ୍ୟପାଳ ପୁଅ ଏଏସଓଙ୍କୁ ମାଡ ମାରିବା, ମାଣ୍ଡିପଙ୍କା ଗାଁରେ ଖାଦ୍ୟ ନପାଇ ଲୋକେ ଆମ୍ବ ଟାକୁଆ ଖାଇବା, ଧରାକୋଟରେ ଦଳିତଙ୍କ ବ୍ୟକ୍ତିଙ୍କୁ ନର୍ଦ୍ଦମା ପାଣି ପିଆଇ ରାସ୍ତାରେ ଆଣ୍ଠେଇ ଚଲାଇବା, ରାୟଗଡାରେ ପ୍ରେମୀ ଯୁଗଳଙ୍କୁ ବିଲରେ ହଳ କରାଇବା, ବିଏମସି ଅଫିସରେ ପଶି ସରକାରୀ ଅଧିକାରୀଙ୍କୁ ମାଡ ମାରିବା, ବିରୋଧୀ ନେତ୍ରୀଙ୍କୁ ବିଜେପି ବିଧାୟକ ଦେହଜୀବୀ କହିବା ପରି ବହୁ ପ୍ରସଙ୍ଗ ଓଡିଶାକୁ ଭାରତବର୍ଷରେ ଲଜ୍ଜିତ କରିଛି । ଏ ସବୁ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଛି । ନବୀନଙ୍କ ଶାସନରେ ଲୋକେ ଶାନ୍ତିରେ ଥିଲେ ।

ବିଜେପି ଯଦି ଶାସନ ବ୍ୟବସ୍ଥା ସମ୍ଭାଳି ପାରୁନି ଓ ଲୋକଙ୍କ ନ୍ୟାୟ ଦେଇପାରୁନି ତେବେ ଗାଦି ଛାଡନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ସେପଟେ ନବ ନିର୍ମାଣ କୃଷକ ସଂଘ ମଧ୍ୟ ୧୩ ମାସରେ ବିଜେପି ସରକାର ବର୍ଷ ଏକ ଉପଲବ୍ଧି ଅନେକ ପ୍ରଚାରକୁ କଟାକ୍ଷ କରିଛି । ବିଜେପିର ଉପଲବ୍ଧି କଣ ତାହା ଲୋକେ ଦେଖୁଛନ୍ତି ବୋଲି ନବ ନିର୍ମାଣ କୃଷକ ସଂଘ କହିଛି । ରାଜନୈତିକ ସମୀକ୍ଷକ କହିଛନ୍ତି ୧୩ମାସରେ ଅଧାଗଢା ସରକାର ରହିଛି । ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀପଦ ଖାଲିପଡିଥିବା ବେଳେ ଏଯାଏ ନିଗମ ବଣ୍ଟନ ବି କରିପାରୁନାହାନ୍ତି ସରକାର । ଦିଲ୍ଲୀରୁ ଫେରିବା ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଠିକ ସମୟରେ ମନ୍ତ୍ରିମଣ୍ଡଳ ଓ ନିଗମ କଥା ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ୧୩ମାସ ପରେ ବିଜେପି ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । ବଦଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଦେବା ସହ ଚାଷୀ ଓ ଗରିବଗୁରୁବାଙ୍କ ପ୍ରତି ସରକାର ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।