spot_img

Latest Posts

ସାବଧାନ! ଫାର୍ମାସି ଡିଗ୍ରୀ ନଥିବା ଲୋକ ବିକୁଛନ୍ତି ଔଷଧ

ଡାକ୍ତରଙ୍କୁ ନ ଦେଖାଇ ଦୋକାନରୁ ମନଇଚ୍ଛା ଔଷଧ କିଣୁଛନ୍ତି କି ? ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ଔଷଧ ଦେଉଛନ୍ତି ଫାର୍ମାସି ଡିଗ୍ରୀ ନଥିବା ଲୋକ । ଯାହା ପ୍ରାଣଘାତକ ହୋଇପାରେ । ବିଭିନ୍ନ ଔଷଧ ଦୋକାନୀ ଫାର୍ମାସି ଡିଗ୍ରୀଧାରୀଙ୍କୁ ରଖିଥିବା ନେଇ କହୁଛନ୍ତି । ହେଲେ ସମସ୍ତେ ସତ କହୁ ନାହାନ୍ତି । ଯେଉଁ ଫାର୍ମାସିଷ୍ଟକୁ ଔଷଧ ଦୋକାନରେ ଦେଖୁଛନ୍ତି, ହୁଏତ ଦୋକାନରେ ସେହି ବ୍ୟକ୍ତିଙ୍କ ଲାଇସେନସ୍ ନଥାଇ ପାରେ । ଯାହା ଫର୍ମାସିଷ୍ଟ ଆଇନ ୧୯୪୮ର ଉଲଂଘନ କରୁଛି । ଏହାକୁ ବିରୋଧ କରିଛି ଓଡ଼ିଶା ବ୍ୟାଚେଲର ଅଫ୍ ଫାର୍ମାସି ଆସୋସିଏସନ୍ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ କରି ସେମାନେ ଦାବିପତ୍ର ଦେଇଛନ୍ତି । ଆଇନ ଖିଲାପକାରୀ ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ବ୍ୟାଚେଲର ଅଫ୍ ଫାର୍ମାସି ଆସୋସିଏସନ ଦାବି କରିଛି । ଦୋକାନରେ ଯେପରି ଫାର୍ମାସି ଡିଗ୍ରୀ ଥିବା ବ୍ୟକ୍ତି ହିଁ ଔଷଧ ବିକୁଥିବେ, ତାହାର ତଦାରଖ ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ଏପରି ଏକ ଦାବି ଆସିବା ପରେ ଡ୍ରଗସ୍ କଣ୍ଟ୍ରୋଲର ଆରମ୍ଭ କଲେଣି ଘନ ଘନ ରେଡ । ଭୁବନେଶ୍ବରର ୯ଟି ଔଷଧ ଦୋକାନରେ ଅଚାନକ ଚଢାଉ କରାଯାଇଥିଲା । ୪ଟି ଦୋକାନରେ ଫାର୍ମାସି ଡିଗ୍ରୀ ନଥିବା ଜଣା ପଡ଼ିବା ପରେ ଏହି ଦୋକାନ ଗୁଡ଼ିକର ଔଷଧ ବିକ୍ରି ଉପରେ ରୋକ ଲଗା ଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୋକାନରେ ଫାର୍ମାସି ଡିଗ୍ରୀ ଥିବା ନେଇ ସଠିକ ତଥ୍ୟ ଦେବା ପରେ ହିଁ ସେହି ଦୋକାନ ଗୁଡ଼ିକରେ ପୁଣି ଥରେ ଔଷଧ ବିକ୍ରି ଆରମ୍ଭ ହୋଇ ପାରିବ । ପୂର୍ବରୁ ଗାଁ ଗହଳିରେ ମନଇଚ୍ଛା ଔଷଧ ବିତରଣର ଖବର ଆସୁଥିଲା । ଭୁଲ ଔଷଧ ଖାଇ ଜୀବନ ଯିବାର ବି ଅନେକ ନଜିର ରହିଛି । ହେଲେ ଏବେ ସହରରେ ଶିକ୍ଷିତ ଲୋକ ବି ଡାକ୍ତରଙ୍କ ପାଖକୁ ନ ଯାଇ ଔଷଧ ଦୋକାନୀକୁ ବିଶ୍ବାସ କରିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ।

Latest Posts

Don't Miss