ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ ତେଜୁଛି ଅସନ୍ତୋଷ

ମିଟର ପୁରୁଣା ଥିଲେ ଲଗାଅ ସ୍ମାର୍ଟ ମିଟର । ନୂଆ ବିଜୁଳି ସଂଯୋଗ ପାଇଁ ବାଧ୍ୟତାମୂଳକ ସ୍ମାର୍ଟ ମିଟର । ବିଜୁଳି ଉପଭୋକ୍ତାଙ୍କ ପାଇଁ ଏଭଳି ନିୟମ କରିଛନ୍ତି ରାଜ୍ୟ ସରକାର । ଏପରିକି ନୂଆ କନେକସନ୍ ପାଇଁ ବହୁ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହେଉଛି । ମନଇଚ୍ଛା ଘଣ୍ଟାଘଣ୍ଟା ବିଜୁଳି କଟୁଛି । ଲୋ-ଭୋଲଟେଜ୍ ଯୋଗୁ ମିଞ୍ଜି ମିଞ୍ଜି ଆଲୁଅ ଲୋକଙ୍କୁ ଛଟପଟ କରୁଛି। ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଏମିତି ମାଳମାଳ ଅଭିଯୋଗ ଦାଖଲ କରିଛନ୍ତି ଉପଭୋକ୍ତା। ଅଭିଯୋଗର ଶୁଣାଣି କରିବାକୁ ଆସନ୍ତାକାଲି ଦିନ ଧାର୍ଯ୍ୟ ହୋଇଥିଲା । ଏବେ ତାକୁ ଘୁଞ୍ଚାଇ ଅକ୍ଟୋବର ୧୦ ତାରିଖ କରାଯାଇଛି। ରାଜ୍ୟର ଲକ୍ଷ ଲକ୍ଷ ବିଜୁଳି ଉପଭୋକ୍ତା ନାନା ଉପାୟରେ ଶୋଷିତ ହେଉଥିବାରୁ ସରକାରଙ୍କୁ ଦାୟୀ କରିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ଲୋକେ ବିଜୁଳି ଶୋଷଣରୁ ମୁକ୍ତି ପାଉନାହାନ୍ତି । ଏପରିକି ମହାସଙ୍ଘ ପକ୍ଷରୁ ମଧ୍ୟ ଲୋକଙ୍କ ବିଜୁଳି ସମସ୍ୟାକୁ ନେଇ ଅଭିଯୋଗ ଦାଖଲ କରାଯାଇଛି।

ବିଜୁଳି ପ୍ରସଙ୍ଗକୁ ନେଇ ବିରୋଧୀ ଓ ଗଣ ସଂଗଠନ ବିରୋଧ କରି ଆସୁଛନ୍ତି । ସରକାର ଏବଂ ଓଇଆରସି ସମାଧାନ ନକଲେ ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମହାସଂଘ ଓ ବିରୋଧୀ । ଓଡ଼ିଶା ବିଜୁଳି ବଳକା ରାଜ୍ୟ । ହେଲେ ତଥାପି ବିଜୁଳି ଯନ୍ତ୍ରଣାରେ ହେଉଛି ଜର୍ଜରିତ । ଯାହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ହେବାରେ ଲାଗିଛି ଜନ ଅସନ୍ତୋଷ।