ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦକୁ ଧକ୍କା ; ବନ୍ଦ ହେଲା ଜୈସ ମୁଖ୍ୟାଳୟ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତର ଅପରେସନ ସିନ୍ଦୂର ପରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦକୁ ଧକ୍କା । ପାକିସ୍ତାନର ବାହାବଲପୁରସ୍ଥିତ ଜୈସର ମୁଖ୍ୟାଳୟକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଏହି ମୁଖ୍ୟାଳୟ ଏକ ମସଜିଦରେ କାର୍ଯ୍ୟ କରୁଥିବାବେଳେ ଏହା ଜରିଆରେ ଜୈସର ପ୍ରଶିକ୍ଷଣ ଓ ଆଦର୍ଶଗତ ଶିବିର ଚାଲୁଥିଲା । ଜୈସ ସଂଗଠନ ସେଠାରେ ଜାମିଆ ମସଜିଦ ଶୁଭାନ ଆହ୍ଲା ନାମରେ ପରିଚିତ ଥିଲା । ପଞ୍ଜାବ ପ୍ରଜାତନ୍ତ୍ରର ବାହାବଳପୁରରେ ଅବସ୍ଥିତ ଏହି ମୁଖ୍ୟାଳୟ ଭାରତ ସୀମାଠାରୁ ଶହେ କିଲୋମିଟର ଦୂରରେ ଅବସ୍ଥିତ ଥିଲା । ମେ ୭ ଅପରେସନ ସିନ୍ଦୂର ବେଳେ ଯେଉଁ ୯ଟି ଆତଙ୍କୀ ଶିବିର ନଷ୍ଟ ହୋଇଥିଲା ସେଥିରେ ଏହି ମୁଖ୍ୟାଳୟ ଅନ୍ତର୍ଭୁକ୍ତ ଥିଲା । ଭାରତର ହମଲା ପରେ ଏହି କୋଠାର ବ୍ୟାପକ କ୍ଷତି ଘଟିଥିଲା ବୋଲି ସାଟେଲାଇଟ ଜରିଆରେ ସୂଚନା ମିଳିଥିଲା । ଜାତିସଂଘ ପକ୍ଷରୁ ଆତଙ୍କୀ ଘୋଷିତ ମସୁଦ ଅଜହର ନେତୃତ୍ବରେ ଜୈସ ସଂଗଠନର ମୁଖ୍ୟାଳୟ ପରିଚାଳିତ ହେଉଥିଲା । ଭାରତରେ ଅନେକ ଆତଙ୍କୀ ହମଲା ଘଟଣାରେ ବି ସାମିଲ ଥିଲା ମାସୁଦ ।

୨୦୦୧ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ ଏୟାରବେସ ଆଟାକ, ୨୦୧୯ ପୁଲଓ୍ବାମା ଆତ୍ମଘାତୀ ହମଲା ଘଟଣାରେ ବି ସେ ସମ୍ପୃକ୍ତ ଥିଲା । ପୁଲଓ୍ବାମା ଘଟଣାରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅପରେସନ ସିନ୍ଦୂରରେ ମୁରିଦକେସ୍ଥିତ ଲସ୍କର ଏ ତଏବା, ସିଆଲକୋଟର ସରଜଲସ୍ଥିତ ହିଜବୁଲ ମୁଜାହିଦ୍ଦିନ, ସିଆଲକୋଟର ମେହମୁନା ଜୋୟାସ୍ଥିତ ହିଜବୁଲ ମୁଜାହିଦ୍ଦିନ, କୋତଲିର ଆବାସ କ୍ୟାମ୍ପସ୍ଥିତ ଲସ୍କର-ଏ-ତୋଏବା, କୋତଲି ଗୁଲପୁରସ୍ଥିତ ଲସ୍କର-ଏ-ତୋଏବା, ମୁଜାଫରବାଦ ସେଦନା ବିଲାଲସ୍ଥିତ ଜୈସ-ଏ-ମହମ୍ମଦ ଓ ମୁଜାଫରବାଦ ସବାଇ ନାଲାସ୍ଥିତ ଲସ୍କର ସଂଗଠନର କାର୍ଯ୍ୟାଳୟ ଧ୍ବଂସ ପାଇଥିଲା ।

ନଜର ପକାନ୍ତୁ