କମିଲା ତୈଳଦର, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରେକର୍ଡ

ନୂଆଦିଲ୍ଲୀ: କିଛି ଦିନ ହେବ ଲଗାତାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ଆଜି ହ୍ରାସ ପାଇଛି ଦର । ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଯଦିଓ ଏନେଇ ଗତକାଲିଠାରୁ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ଠାରୁ ତାହା କାର୍ଯ୍ୟକାରୀ ହୋଇଛି ।  ଇନ୍ଧନ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍‌ ଶୁକ୍ଳ ହ୍ରାସ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିଛି । ଏନେଇ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାର ଇନ୍ଧନ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବେ । ଯାହା ଫଳରେ ତୈଳ ଦର ହ୍ରାସ ପାଇବ ।  ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରୁଛୁ । ଏହାଦ୍ୱାରା ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ ।

ତେଣୁ  ଆଜି ତୈଳ ଦର ହ୍ରାସ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ତୈଳଦର ଅଲଗା ଅଲଗା ରହିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀ​‌​‌ରେ ୯୬ଟଙ୍କା ୭୨ପଇସା, କୋଲକାତା ୧୦୬ଟଙ୍କା ୦୩ ପଇସା, ମୁମ୍ବାଇ୧୧୧ଟଙ୍କା ୩୫ ପଇସା, ଚେନ୍ନାଇ ୧୦୨ଟଙ୍କା ୬୩ ପଇସା ରହିଛି । ବାଙ୍ଗାଲୋର ୧୦୧ଟଙ୍କା ୯୪ପଇସା, ଚଣ୍ଡିଗଡ଼ ୯୬ଟଙ୍କା ୨ପଇସା, ହାଇଦ୍ରାବାଦ ୧୦୯ଟଙ୍କା ୬୬ ପଇସା, ଜୟପୁର ୧୦୮ଟଙ୍କା ୪୮ପଇସା, ଲକ୍ଷ୍ନୌ ୯୬ଟଙ୍କା ୫୭ ପଇସା, ପାଟନା ୧୦୭ଟଙ୍କା ୨୪ ପଇସା ରହିଛି ତୈଳ ଦର ।