କମୁଛି ଅଶୋଧିତ ତୈଳ ଦର, କିନ୍ତୁ କମିଲାନି ପେଟ୍ରୋଲ ଡିଜେଲ ଦାମ

ଭୁବନେଶ୍ବର: ଅଶୋଧିତ ତୈଳ ଦର ଦିନକୁ ଦିନ କମୁଛି । ବ୍ୟାରେଲ ପିଛା ଦର ୭୯ ଡଲାରରୁ ୭୭ ଡଲାର ହେଲାଣି। ତୈଳ କମ୍ପାନୀଙ୍କ କଚ୍ଚେ ପୁଅ ବାର। ଉଭୟ କେନ୍ଦ୍ର ସରକାର ଓ କମ୍ପାନୀଙ୍କ ଲାଭ ଉପରେ ଡବଲ ଲାଭ । ଏବେ ପୁଣି ଥରେ ଉତ୍ପାଦ ଶୁଳ୍କ ଆଉ ୩ ଟଙ୍କା ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଏପରି ହେଲେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ବଢିବ ନା କମିବ। କେନ୍ଦ୍ର ସରକାର ୨୦୨୪ ନିର୍ବାଚନକୁ ଆଖେଇ ଥିବା ବେଳେ ସମତାଳ ଦେଇ ତୈଳ ରାଜନୀତିରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ। ହେଲେ ଲୋକଙ୍କ ଦୁଃଖ ସରୁନି ।

ନୂଆବର୍ଷ ଗଲା। କମିଲାନି ପେଟ୍ରୋଲ ଓ ଡିଜେଲ ଦର । ଏନେଇ ମୁହଁ ବି ଖୋଲିଲେନି କେନ୍ଦ୍ର ସରକାର। ନିଜ ଆୟ ବୃଦ୍ଧି ପାଇଁ ଉତ୍ପାଦନ ଶୁଳ୍କ ବୃଦ୍ଧି କରିପାରେ କେନ୍ଦ୍ର। ନୂଆବର୍ଷରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିପାରେ। ମହଙ୍ଗା ରାକ୍ଷସରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକାର।  ଡିସେମ୍ବର ମାସ ଆଡ଼କୁ ଜାତୀୟସ୍ତରରେ ଏପରି ଖବର ଦେଖିବାକୁ ମିଳିଲା। ହେଲେ ନୂଆବର୍ଷ ଆସିଲା ପଛେ ନା କମିଲା ପେଟ୍ରୋଲ ଓ ଡିଜେଲ ଦର, ନା କେନ୍ଦ୍ର ସରକାର ତୈଳ ଦର ଉପରେ ପଦୁଟିଏ କହିଲେ। ଫୁସୁକିଗଲା ଜାତୀୟ ଗଣମାଧ୍ୟମର ଏପରି ଦାବି। ମଉଳିଗଲା ଲୋକଙ୍କ ଆଶା । ବରଂ ଚର୍ଚ୍ଚା ହେଲାଣି, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ହ୍ରାସ କରିଥିବା ଯଥାକ୍ରମେ ୧୩ ଟଙ୍କା ଓ ୧୬ ଟଙ୍କା ଉତ୍ପାଦ ଶୁଳ୍କରେ ଆଉ ୩ ଟଙ୍କା ଲେଖାଏଁ ବୃଦ୍ଧି କରିବେ।

ଆସନ୍ତା ଦିନରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବା ଆଶା କ୍ଷୀଣ । ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବ, ପେଟ୍ରୋଲ ଓ ଡିଜେଲର ବେସ୍ ଦରରେ କିଛିଟା ହ୍ରାସ କରି ବାହାବା ନେବାକୁ କେନ୍ଦ୍ର କରୁଛି ଚାଲ୍। ଏବେ ପେଟ୍ରୋଲ ଲିଟର ପିଛା ଉତ୍ପାଦ ଶୁଳ୍କ ୧୯ ଟଙ୍କା ୯୦ପଇସା ଏବଂ ଡିଜେଲ ଲିଟର ପିଛା ୧୫ ଟଙ୍କା ୮୦ ପଇସା ନେଉଛି କେନ୍ଦ୍ର । ୩ଟଙ୍କା ଲେଖାଏଁ ବଢିଲେ ପେଟ୍ରୋଲ ଉତ୍ପାଦ ଶୁଳ୍କ ୨୨ ଟଙ୍କା ୯୦ ଓ ଡିଜେଲ ଉତ୍ପାଦ ଶୁଳ୍କ ଲିଟର ପିଛା ୧୮ ଟଙ୍କା ୮୦ ପଇସା ହେବ। ସ୍ବୟଂକ୍ରିୟ ଦର ଧାର୍ଯ୍ୟ ବ୍ୟବସ୍ଥା ୨୦୧୭ରୁ ପ୍ରଣୟନ ହୋଇଥିଲେ ବି ଗତ ଦେଢ଼ବର୍ଷ ହେଲାଣି ଏହି ବ୍ୟବସ୍ଥାକୁ ପଙ୍ଗୁ କରିଦିଆଯାଇଛି। ଗତବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ୧୧୨ ଡଲାର ଛୁଇଁଥିଲା। କିଛିଟା କ୍ଷତି ସହିଥିଲେ ତୈଳ କମ୍ପାନୀ । ହେଲେ ୨୦୨୨ ମେ’ ରୁ ଲଗାତର ଅଶୋଧିତ ତୈଳ ଦର କମି ଏବେ ୭୭.୪୨ ଡଲାରରେ ପହଞ୍ଚିଲାଣି । କ୍ଷତି ଭରଣା କରି ତୈଳ କମ୍ପାନୀ ଲାଭ କରିଚାଲିଛନ୍ତି। ହେଲେ କମୁନି ଲୋକଙ୍କ ଦୁଃଖ।

ତୈଳକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଗତବର୍ଷର କ୍ଷତି ଭରଣା ହୋଇ ଲାଭ ହେଉଛି ଓ ଅଶୋଧିତ ତୈଳ ଦର ଲଗାତାର କମୁଛି। ଦର ହ୍ରାସ ପାଇଁ ଏବେ ଆଉ କେଉଁ ଅବସ୍ଥାକୁ ଅପେକ୍ଷା କରିଛନ୍ତି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର? କାହିଁକି ହ୍ରାସ କରୁନାହାନ୍ତି ଖୁଚୁରା ଦର ? ୨୦୧୭ରୁ ପ୍ରଣିତ ସ୍ବୟଂକ୍ରିୟ ଦର ଧାର୍ଯ୍ୟ ବ୍ୟବସ୍ଥାକୁ କାହିଁକି ଅକାମୀ ରଖିଛନ୍ତି ? ଏହା ପ୍ରମାଣିତ କରୁନି କି କେନ୍ଦ୍ର ସରକାରଙ୍କ ଗୁମାସ୍ତା ପରି ତୈଳ କମ୍ପାନୀ ବି ନିର୍ବାଚନକୁ ଅପେକ୍ଷା କରିଛନ୍ତି? ସେପଟେ ତୈଳ ବୋଝେଇ ଭାରତ ଆସୁଥିବା ଜାହାଜ ଉପରେ ଲୋହିତ ସାଗରରେ ଆକ୍ରମଣ ଜାରି ବି ରହିଛି । ଏଭଳି ସ୍ଥିତିରେ ଆଗକୁ ଅଶୋଧିତ ତୈଳ ଆସିବା ବାଟ ଲମ୍ବା ବି ହୋଇପାରେ।